କର୍ଣ୍ଣାଟକ: କାଠ ଚୋରା ଚାଲାଣ ଅଭିଯୋଗରେ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ଭାଇ ଗିରଫ | News Room Odisha

କର୍ଣ୍ଣାଟକ: କାଠ ଚୋରା ଚାଲାଣ ଅଭିଯୋଗରେ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ଭାଇ ଗିରଫ

ବେଙ୍ଗାଲୁରୁ: ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ଭାଇ ବିକ୍ରମ ସିହ୍ମାଙ୍କୁ ଶନିବାର କର୍ଣ୍ଣାଟକ ପୋଲିସ‌ କାଠ ଚୋରା ଚାଲାଣ ଅଭିଯୋଗରେ ଗିରଫ କରିଛି । ବିକ୍ରମ ବିନା ଅନୁମତିରେ ଗଛ କାଟିବା ସହ ହାସନ ଜିଲ୍ଲାର ଏକ ଗାଁରେ କାଠଗଣ୍ଡି ଚୋରା ଚାଲାଣ କରୁଥିଲେ ବୋଲି ଅଭିଯୋଗ ହୋଇଛି।

ସଂସଦର ସୁରକ୍ଷା ଭଙ୍ଗ ଘଟଣା ପରେ ମହୀଶୂରର ବିଜେପି ସାଂସଦ ପ୍ରତାପ ସିହ୍ମା ଚର୍ଚ୍ଚାରେ ରହିଥିଲେ। ସଂସଦରେ ପଶିଥିବା ଦୁଇ ଅଭିଯୁକ୍ତଙ୍କୁ ପାସ୍ ଦେଇଥିଲେ ପ୍ରତାପ ସିହ୍ମା ।

ବିନା ଅନୁମତିରେ ଗଛ କାଟିବା ସହ ନନ୍ଦାଗୋଣ୍ଡାନହଲ୍ଲି ଗାଁରେ କାଠ ଚୋରା ଚାଲାଣ ଅଭିଯୋଗରେ ରାଜ୍ୟ ଜଙ୍ଗଲ ବିଭାଗ ବିଜେପି ସାଂସଦଙ୍କ ଭାଇ ବିକ୍ରମ ସିହ୍ମାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତହସିଲଦାର ମମତାଙ୍କ ନନ୍ଦାଗୋଣ୍ଡାନହଲ୍ଲି ଗାଁ ଗସ୍ତ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଜଙ୍ଗଲ ବିଭାଗର ବିନା ଅନୁମତିରେ ଗଛ କଟାଯାଇଥିବା ଜାଣିବା ପରେ ତହସିଲଦାର ବିକ୍ରମ ସିହ୍ମାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜଙ୍ଗଲରେ ଯେଉଁ ସ୍ଥାନରେ ଗଛ କଟା ହୋଇଛି ତାହା ୧୨ ଏକର ବିଶିଷ୍ଟ ସରକାରୀ ତଥା ଗୋଚର ଜମି । ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଇଶ୍ୱର ଖଣ୍ଡ୍ରେ ଅଭିଯୋଗ କରିଛନ୍ତିି ଯେ ବିକ୍ରମ ସିହ୍ମା ଏଠାରେ ୧୫ ଦିନରୁ ଊର୍ଦ୍ଧ୍ବ ଦିନ ଧରି ବେଆଇନ ଭାବେ ପ୍ରାୟ ୧୨୦ରୁ ଅଧିକ ଗଛ କାଟିଛନ୍ତି ।