ମଞ୍ଚ ଉପରେ ଯୁବ ଖେଳାଳିଙ୍କୁ ପିଟିଲେ ବିଜେପି ସାଂସଦ | News Room Odisha

ମଞ୍ଚ ଉପରେ ଯୁବ ଖେଳାଳିଙ୍କୁ ପିଟିଲେ ବିଜେପି ସାଂସଦ

ରାଞ୍ଚି: ଝାଡଖଣ୍ଡର ରାଞ୍ଚିରେ ଅନୁଷ୍ଠିତ ଜାତୀୟ ରେସଲିଂ ଚାମ୍ପିଅନସିପ୍ ସମୟରେ ବିଜେପି ସାଂସଦ ବ୍ରଜ ଭୂଷଣ ଶରଣ ସିଂ ଜଣେ ଯୁବ କୁସ୍ତି ଖେଳାଳିଙ୍କୁ ମଞ୍ଚ ଉପରେ ଚାପୁଡ଼ା ମାରିବା ଚର୍ଚ୍ଚାର ବିଷୟ ହୋଇଛି। ରାଞ୍ଚିର ଖେଳ ଗ୍ରାମର ସହିଦ ଗଣପତ ରାୟ ଇନଡୋର ଷ୍ଟାଡିୟମରେ ଜାତୀୟ ରେସଲିଂ ଚାମ୍ପିଅନସିପ୍ ପ୍ରତିଯୋଗିତା ସମୟରେ ଏହି ଘଟଣା ଘଟିଛି। ଜଣେ ଯୁବ ରେସଲରଙ୍କୁ ଚାପୁଡ଼ା ମାରିବାର ଏହି ଭିଡିଓ ଭାଇରାଲ ହୋଇଛି। ଯୁବ ଖେଳାଳିଙ୍କ ପ୍ରତି ଏଭଳି ଆଚରଣ ପାଇଁ ବିଜେପି ସାଂସଦ ସମାଲୋଚିତ ହୋଇଛନ୍ତି ।

ଅଣ୍ଡର -୧୫ ଜାତୀୟ ରେସଲିଂ ଚାମ୍ପିଅନସିପ୍‌ର ଏକ ଭାଇରାଲ ଭିଡିଓରେ ଉତ୍ତରପ୍ରଦେଶର ବିଜେପି ସାଂସଦ
ବ୍ରଜ ଭୂଷଣ ଶରଣ ସିଂ ବାରମ୍ବାର ଯୁବ କୁସ୍ତିଯୋଦ୍ଧାଙ୍କୁ ଚାପୁଡ଼ା ମାରିବା ଦେଖିବାକୁ ମିଳୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚାପୁଡ଼ା ଖାଇଥିବା ଯୁବ ରେସଲରଙ୍କ ବୟସ ୧୫ ବର୍ଷରୁ ଅଧିକ ଥିଲା। ତାଙ୍କ ବୟସ ଅଧିକ ବୋଲି ଜଣାପଡିବା ପରେ ତାଙ୍କୁ ପ୍ରତିଯୋଗିତାରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ତେବେ ସେ ମଞ୍ଚରେ ପହଞ୍ଚି ତାଙ୍କୁ ଖେଳିବାକୁ ଦିଆଯାଉ ବୋଲି ମୁଖ୍ୟ ଅତିଥି ଏବଂ ବିଚାରପତିମାନଙ୍କୁ ଅନୁରୋଧ କରିଥିଲେ | ଏଥିରେ ହଠାତ୍ ରାଗିଯାଇ ବିଜେପି ସାଂସଦ ଯୁବକଙ୍କୁ ପିଟିବା ଆରମ୍ଭ କରିଥିଲେ।

ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି | ବିଜେପି ସାଂସଦ ଯୁବ କୁସ୍ତିଯୋଦ୍ଧାଙ୍କୁ କିପରି ମାଡ ମାରୁଛନ୍ତି ତାହା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ବ୍ରଜ ଭୂଷଣ ଶରଣ ସିଂ ମଧ୍ୟ ରେସଲିଂ ଫେଡେରେଶନର ସଭାପତି ଅଛନ୍ତି। ୬୪ ବର୍ଷିୟ ବ୍ରଜ ଭୂଷଣ ଶରଣ ସିଂ, ୟୁପିର କେଶରଗଞ୍ଜରୁ ବିଜେପି ସାଂସଦ ଅଛନ୍ତି। ଏହାଛଡ଼ା ସେ ଗୋଣ୍ଡା ଲୋକସଭା ନିର୍ବାଚନମଣ୍ଡଳୀରୁ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି।