ଲକ୍ଷ୍ମୀପୁର ପରେ ହରିୟାଣାର ଅମ୍ବାଲାରେ ଚାଷୀଙ୍କୁ ଧକ୍କା ଦେଲା ବିଜେପି ସାଂସଦଙ୍କ କାର୍, ଜଣେ ଆହତ | News Room Odisha

ଲକ୍ଷ୍ମୀପୁର ପରେ ହରିୟାଣାର ଅମ୍ବାଲାରେ ଚାଷୀଙ୍କୁ ଧକ୍କା ଦେଲା ବିଜେପି ସାଂସଦଙ୍କ କାର୍, ଜଣେ ଆହତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ପରେ ହରିୟାଣାରେ ମଧ୍ୟ କୃଷି ଆଇନ ବିରୋଧରେ ବିକ୍ଷୋଭରତ ଚାଷୀମାନଙ୍କୁ ଗାଡ଼ିରେ ଧକ୍କା ଦିଆଯାଇଥିବା ଅଭିଯୋଗ ହୋଇଛି । ହରିୟାଣା କୃଷକମାନେ ଅଭିଯୋଗ କରିଛନ୍ତି ଯେ ଅମ୍ବାଲା ନିକଟ ନାରାୟଣଗଡରେ ବିଜେପି ସାଂସଦ ନାୟାବ ସାଇନିଙ୍କ କାର୍ ଚାଷୀଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଏହି ଘଟଣାରେ ଜଣେ କୃଷକ ଆହତ ହୋଇଥିବା କୁହାଯାଇଛି। ଆହତ ଚାଷୀଙ୍କୁ ଅମ୍ବାଲା ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କୁରୁକ୍ଷେତ୍ର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଜେପିର ଲୋକସଭା ସାଂସଦ ନାୟାବ ସାଇନି ଏବଂ ଦଳର ଅନ୍ୟ ନେତାମାନେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅମ୍ବାଲା ଯାଇଥିଲେ। ସାଇନିଙ୍କ ଗସ୍ତକୁ ବିରୋଧ କରି ସେଠାରେ କୃଷକମାନେ ଏକାଠି ହୋଇଥିଲେ।

କାର୍ଯ୍ୟକ୍ରମ ଶେଷ ହେବା ପରେ ବିଜେପି ସାଂସଦ ଫେରୁଥିବା ବେଳେ ତାଙ୍କ ସହ ଆସିଥିବା ଏକ ଗାଡ଼ି ମଧ୍ୟରୁ ଏକ କାର୍ ଜଣେ ଚାଷୀଙ୍କୁ ଧକ୍କା ଦେଇଥିଲା। ବିଜେପି ନେତାଙ୍କ ଗସ୍ତକୁ ବିରୋଧ କରିବା ପାଇଁ ବହୁ ସଂଖ୍ୟାରେ କୃଷକ ସାଇନି ଭବନ ବାହାରେ ଏକାଠି ହୋଇଥିଲେ।