'ବିହାରର ଲୋକଙ୍କ ପ୍ରତି ବିଶ୍ବାସ ଘାତକତା', ନୀତୀଶଙ୍କ ମେଣ୍ଟ ଭାଙ୍ଗିବା ନିଷ୍ପତ୍ତିରେ ବିଜେପିର ପ୍ରତିକ୍ରିୟା | News Room Odisha

‘ବିହାରର ଲୋକଙ୍କ ପ୍ରତି ବିଶ୍ବାସ ଘାତକତା’, ନୀତୀଶଙ୍କ ମେଣ୍ଟ ଭାଙ୍ଗିବା ନିଷ୍ପତ୍ତିରେ ବିଜେପିର ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାର ଇସ୍ତଫା ଦେଇଛନ୍ତି । ନୀତୀଶ ଏବେ ଆରଜେଡି ଓ କଂଗ୍ରେସ ସହ ସରକାର ଗଢ଼ିବାକୁ ସଜବାଜ ହେଉଛନ୍ତି । ସେପଟେ ନୀତୀଶ କୁମାରଙ୍କ ଏପରି ନିଷ୍ପତ୍ତିକୁ ବିହାରର ଜନତା ଓ ବିଜେପି ପ୍ରତି ବିଶ୍ବାସ ଘାତକତା ବୋଲି କହିଛି ବିଜେପି । ବିହାର ବିଜେପି ସଭାପତି ସଞ୍ଜୟ ଜୈସୱାଲ ପାଟଣାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିହାରର ଲୋକମାନେ ଏହାକୁ ଆଦୌ ବରଦାସ୍ତ କରିବେ ନାହିଁ।

ସେ କହିଛନ୍ତି- ବିହାର ଏବଂ ବିଜେପିର ଲୋକଙ୍କ ସହ ଏହା ଏକ ବିଶ୍ୱାସଘାତକତା। ଜନାଦେଶ ପ୍ରତି ବିଶ୍ବାସଘାତକତା ହୋଇଛି। ନୀତୀଶ କୁମାର ବିହାରର ଜନସାଧାରଣ ଓ ବିଜେପି ପ୍ରତି ବିଶ୍ୱାସଘାତକତା କରିଛନ୍ତି।

ସେ କହିଛନ୍ତି ଯେ ୨୦୨୦ରେ ଲୋକମାନେ ଏନଡିଏକୁ ସରକାର ଗଢ଼ିବାକୁ ଜନାଦେଶ ଦେଇଥିଲେ। ଜେଡିୟୁ ବିଜେପି ତୁଳନାରେ କମ୍ ଆସନ ପାଇଥିଲା, ତଥାପି ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ସଞ୍ଜୟ ଜୈସୱାଲ କହିଛନ୍ତି ଯେ ନୀତୀଶ କୁମାର ୨୦୧୭ ରେ ଦୁର୍ନୀତି ଅଭିଯୋଗ ଆଣି ଆରଜେଡି ଛାଡ଼ିଥିଲେ, ତାହା ଏବେ କଣ ହେଲା ? ନୀତୀଶ ଏହାର ଉତ୍ତର ଦେବାକୁ ପଡ଼ିବ ।

ଦଳୀୟ ବିଧାୟକ ଓ ସାଂସଦଙ୍କ ବୈଠକରେ ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରିବାକୁ ଘୋଷଣା କରିବା ପରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହିପରେ ସେ ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ । ଉଭୟ ତେଜସ୍ଵୀ ଓ ନୀତୀଶ ପୁଣି ଏକାଠି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ।