ଉପନିର୍ବାଚନ ଫଳାଫଳ: ସମାଜବାଦୀ ପାର୍ଟିର ଗଡ଼ ରାମପୁର ଦଖଲ କଲା ବିଜେପି, ସଙ୍ଗରୁରରେ ଆମ୍ ଆଦମୀ ପାର୍ଟିର ପରାଜୟ | News Room Odisha

ଉପନିର୍ବାଚନ ଫଳାଫଳ: ସମାଜବାଦୀ ପାର୍ଟିର ଗଡ଼ ରାମପୁର ଦଖଲ କଲା ବିଜେପି, ସଙ୍ଗରୁରରେ ଆମ୍ ଆଦମୀ ପାର୍ଟିର ପରାଜୟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଏବଂ ପଞ୍ଜାବର ମୋଟ ତିନିଟି ଲୋକସଭା ଆସନ (ଆଜମଗଡ, ରାମପୁର ଏବଂ ସଙ୍ଗରୁର) ବ୍ୟତୀତ ଚାରିଟି ରାଜ୍ୟର ୭ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଏବଂ ଟ୍ରେଣ୍ଡ ଆସିଯାଇଛି। ବିଜେପି ସମାଜବାଦୀ ପାର୍ଟିରୁ ଉତ୍ତରପ୍ରଦେଶର ରାମପୁର ଲୋକସଭା ଆସନ ଛଡ଼ାଇ ନେଇଛି। ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଡି ପ୍ରାୟ ୪୦ ହଜାର ଭୋଟ ବ୍ୟବଧାନରେ ଏହି ଆସନ ଜିତିଛନ୍ତି। ଆଜମଗଡ ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ଦୀନେଶ ଲାଲ ଯାଦବ ଏସପି ସଭାପତି ଅଖିଳେଶ ଯାଦବଙ୍କ ଭାଇ ଧର୍ମେନ୍ଦ୍ର ଯାଦବଙ୍କ ଠାରୁ ଆଗୁଆ ଅଛନ୍ତି।

ଅନ୍ୟପକ୍ଷରେ, ପଞ୍ଜାବର ସଙ୍ଗରୁର ଲୋକସଭା ଆସନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ଅମାନତ ହରାଇଛି । ଏଠାରେ ଶିରୋମଣି ଅକାଳୀ ଦଳ (ଅମୃତସର) ପ୍ରାର୍ଥୀ ସିମ୍ରନଜିତ୍ ସିଂ ମାନ୍ ବିଜୟୀ ହୋଇଛନ୍ତି। ୭୭ ବର୍ଷୀୟ ମାନ୍ ଆପ୍ ହାତରୁ ଏହି ଆସନକୁ ଛଡ଼ାଇ ନେଇଛନ୍ତି | ସେ ଆପ୍ ପ୍ରାର୍ଥୀ ଗୁରୁମେଲ ସିଂଙ୍କୁ ପରାସ୍ତ କରିଛନ୍ତି | ୨୦୧୯ରେ ବର୍ତ୍ତମାନର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ଏହି ଆସନରୁ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ଇସ୍ତଫା ଦ୍ବାରା ଏହି ସିଟ୍ ଖାଲି ପଡ଼ିଥିଲା ।

ଦିଲ୍ଲୀର ରାଜୀନ୍ଦର ନଗର ବିଧାନସଭା ଆସନରୁ ୧୧,୫୫୫ ଭୋଟରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଦୁର୍ଗେଶ ପାଠକ ​​ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଉପନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ତ୍ରିପୁରା ସହର ବାର୍ଦ୍ଦୋୱାଲିରୁ ଭାଗ୍ୟ ପରୀକ୍ଷା କରୁଥିବା ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ ରହିବାକୁ ଏହି ନିର୍ବାଚନରେ ​​ଜିତିବା ଆବଶ୍ୟକ ଥିଲା। ତ୍ରିପୁରାର ଅଗରତାଲା ଠାରୁ କଂଗ୍ରେସର ସୁଦୀପ ରୟ ବର୍ମନ ମଧ୍ୟ ଜିତିଛନ୍ତି।