ଅତିକ୍ ଅହମ୍ମଦଙ୍କ ଅଫିସରେ ରକ୍ତ ଛିଟା | News Room Odisha

ଅତିକ୍ ଅହମ୍ମଦଙ୍କ ଅଫିସରେ ରକ୍ତ ଛିଟା

ପ୍ରୟାଗରାଜ: ଉତ୍ତର ପ୍ରଦେଶ ପୋଲିସ ଆଜି ପ୍ରୟାଗରାଜରେ ଥିବା ଅତିକ୍ ଅହମ୍ମଦଙ୍କ ଅଫିସ୍ ଯାଞ୍ଚ ବେଳେ ରକ୍ତ ଛିଟା ଦେଖିବାକୁ ପାଇଛି । ଏହାଛଡ଼ା ଏହି ଘରୁ ଏକ ଛୁରୀ ଓ ରକ୍ତ ଭିଜା ଲୁଗା ସହ ଭଙ୍ଗା ଚୁଡ଼ି ମଧ୍ୟ ମିଳିଛି ।

ଅତିକ୍ ଅହମ୍ମଦ ଜଣେ ପୂର୍ବତନ ସାଂସଦ ତଥା ମାଫିଆ ଡନ୍ ଥିଲେ। ଏହି ମାସରେ ତାଙ୍କୁ ପ୍ରୟାଗରାଜରେ ଗୁଳିକରି ହତ୍ୟା କରାଯାଇଥିଲା।

ପ୍ରୟାଗରାଜ ପୋଲିସର ଏସିପି ସତ୍ୟେନ୍ଦ୍ର ପ୍ରସାଦ ତିୱାରୀ କହିଛନ୍ତି, ମୁଁ ନିଜେ ଅଫିସର ଉପରୁ ତଳ ପର୍ଯ୍ୟନ୍ତ ଯାଞ୍ଚ୍ କରିଥିଲି । ଉପର ଓ ତଳ ସିଡ଼ି ମଝିରେ ନାଲି ରଙ୍ଗର ଦାଗ ଦେଖିବାକୁ ମିଳିଥିଲା, ଯାହା ରକ୍ତ ଛିଟା ବୋଲି ସନ୍ଦେହ କରାଯାଉଛି ।

ଅତିକର ଏହି ଅଫିସର ଅଧା ଅଂଶ ଜବରଦଖଲ ଅଭିଯୋଗରେ ଭାଙ୍ଗି ଦେଇଥିଲା ପ୍ରୟାଗରାଜ ପ୍ରଶାସନ ।

ସେ କହିଥିଲେ, “ରୋଷେଇ ଘର ପାଖରେ ମଧ୍ୟ ରକ୍ତ ଦାଗ ଭଳି ଚିହ୍ନ ମିଳିଛି । ଆମେ ଆମର ବରିଷ୍ଠ ଅଧିକାରୀମାନଙ୍କୁ ଏ ବିଷୟରେ ଜଣାଇଛୁ। ଆମ ଫରେନସିକ୍ ଦଳ ଶୀଘ୍ର ଏଠାରେ ପହଞ୍ଚବେ। ଆମେ ଏହାର ଯାଞ୍ଚ କରୁଛୁ।

ଏସିପି ତିୱାରୀ କହିଛନ୍ତି, “ସିସିଟିଭି ଫୁଟେଜ ମଧ୍ୟ ଉପଲବ୍ଧ। ଆମେ ଏହାର ସହାୟତା ମଧ୍ୟ ନେବୁ। ମୁଁ ଆଶା କରୁଛି କି ଦୁଇ ଘଣ୍ଟା ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ ଯେ ଏହା କେଉଁ ପ୍ରକାର ଘଟଣା ଏବଂ କ’ଣ ହୋଇଛି?”

ଯେତେବେଳେ ପ୍ରୟାଗରାଜରେ ଅତିକ୍ ଅହମ୍ମଦଙ୍କୁ ହତ୍ୟା କରାଯାଇଥିଲା, ସେତେବେଳେ ସେ ପୋଲିସ ହେପାଜତରେ ଥିଲେ। ଡାକ୍ତରୀ ପରୀକ୍ଷା ପାଇଁ ତାଙ୍କୁ ଏବଂ ତାଙ୍କ ଭାଇ ଅଶରଫ ଅହମ୍ମଦଙ୍କୁ ପ୍ରୟାଗରାଜ କଲଭିନ ହସ୍ପିଟାଲକୁ ପୋଲିସ ନେଉଥିବା ବେଳେ ତିନି ଜଣ ଯୁବକ ଅତି ନିକଟରୁ ଗୁଳି କରିଥିଲେ । ତିନିଜଣ ଆକ୍ରମଣକାରୀ ଘଟଣାସ୍ଥଳରେ ସରେଣ୍ଡର କରିଥିଲେ।