ଅରୁଣାଚଳ ପ୍ରଦେଶ: ହିମସ୍ଖଳନ ପରେ ନିଖୋଜ ଥିବା ୭ ସେନା ଯବାନଙ୍କ ଶବ ମିଳିଲା | News Room Odisha

ଅରୁଣାଚଳ ପ୍ରଦେଶ: ହିମସ୍ଖଳନ ପରେ ନିଖୋଜ ଥିବା ୭ ସେନା ଯବାନଙ୍କ ଶବ ମିଳିଲା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ହିମସ୍ଖଳନ ଯୋଗୁଁ ନିଖୋଜ ଥିବା ୭ ସେନା ଯବାନଙ୍କ ମୃତଦେହ ମିଳିଛି । ସୋମବାର ଅରୁଣାଚଳର ଏକ ସେନା ପାଟ୍ରୋଲିଂ ଦଳ ହିମସ୍ଖଳନର ଶିକାର ହୋଇଥିଲା। ଗତକାଲି ଠାରୁ ସେନା ତରଫରୁ ନିଖୋଜ ଯବାନଙ୍କ ସନ୍ଧାନ କାର୍ଯ୍ୟ ଚାଲିଥିଲା।

ତେବେ ଦୁର୍ଭାଗ୍ୟବଶତଃ ସେନାର ଏହି ୭ ସୈନିକଙ୍କ ମଧ୍ୟରୁ କେହି ବି ଜୀବିତ ଉଦ୍ଧାର ହୋଇ ନାହାନ୍ତି। ଉଦ୍ଧାର ପରେ ମୃତ ଯବାନଙ୍କ ମୃତଦେହକୁ ସେମାନଙ୍କ ଘରକୁ ନେବାକୁ ପ୍ରସ୍ତୁତି ଚାଲିଛି।

ଭାରତୀୟ ସେନା ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ କେମାଙ୍ଗ ସେକ୍ଟରର ଏକ ଉଚ୍ଚ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ହିମସ୍ଖଳନରେ ୭ ଜଣ ସେନା ଯବାନ ମୃତ୍ୟୁ ହୋଇଛି। ସମସ୍ତ ଯବାନଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି।

ଏହାପୂର୍ବରୁ ସେନା ପକ୍ଷରୁ କୁହାଯାଇଥିଲା ଯେ ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଟରରେ ୭ ଜଣ ସୈନିକଙ୍କ ଏକ ପାଟ୍ରୋଲିଂ ପାର୍ଟି ହିମସ୍ଖଳନରେ ଫସି ଯାଇଛନ୍ତି। ସମସ୍ତ ସାତ ସୈନିକ ନିଖୋଜ ଥିବା କୁହାଯାଇଥିଲା। ସେନା କହିଥିଲା ଯେ ଏହି ସମସ୍ତ ସୈନିକଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଘଟଣାସ୍ଥଳକୁ ପଠାଯାଇଛି।

ଗତ କିଛି ଦିନ ଧରି ଉକ୍ତ ଅଞ୍ଚଳରେ ଲଗାତାର ତୁଷାରପାତ ହୋଇଥିଲା | ଯେଉଁଥିପାଇଁ ପାଗ ଖରାପ ଥିଲା |