ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଘର ନିକଟରୁ ମିଳିଲା ବୋମା | News Room Odisha

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଘର ନିକଟରୁ ମିଳିଲା ବୋମା

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଘର ନିକଟରୁ ବୋମା ମିଳିଛି। ବୋମା ଚଣ୍ଡିଗଡ଼ ସ୍ଥିତ ଭଗଓ୍ବନ୍ତ ମାନଙ୍କ ବାସଭବନ ନିକଟରେ ନିର୍ମିତ ହେଲିପ୍ୟାଡଠାରୁ କିଛି ଦୂରରେ ମିଳିଛି । ବୋମା ସମ୍ପର୍କରେ ସୂଚନା ପାଇବା ପରେ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ସିଲ୍ କରାଯାଇଛି। ଏହା ଏକ ହାଇ ସିକ୍ୟୁରିଟି ଅଞ୍ଚଳ ହୋଇଥିବା ବେଳେ ଏଠାରେ ବୋମା ମିଳିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ପ୍ରକାଶଯୋଗ୍ୟ ଯେ ବୋମା ଯେଉଁ ସ୍ଥାନରୁ ମିଳିଛି ସେଠାରୁ ଅନତି ଦୂରରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବାସଭବନ ରହିଛି ।

ବୋମା ବିଷୟରେ ସୂଚନା ପାଇବା ପରେ ସେଠାରେ ଉପସ୍ଥିତ ଥିବା ଯବାନମାନେ ସେଲ୍ ଚାରିପାଖରେ ବାଲିବସ୍ତା ରଖିଥିଲେ । ପରେ ଘଟଣାସ୍ଥଳକୁ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡକୁ ଡକାଯାଇଥିଲା। ସେପଟେ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଚଣ୍ଡିଗଡ଼ ପ୍ରଶାସନର ନୋଡାଲ ଅଧିକାରୀ କୁଲଦୀପ କୋହଲି ଗଣମାଧ୍ୟମକୁ କହିଛନ୍ତି, ଯାଞ୍ଚ୍ ପରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ବାସଭବନ ନିକଟରୁ ମିଳିଥିବା ବସ୍ତୁ ଜୀବନ୍ତ ବୋମା ବୋଲି ଜଣାପଡ଼ିଛି | ଏହା କିପରି ଏଠାରେ ପହଞ୍ଚିଲା ତାର ତଦନ୍ତ ଚାଲିଛି |