ପୁଣି ଦୁଇ ବିମାନରେ ବୋମା ଆତଙ୍କ | News Room Odisha

ପୁଣି ଦୁଇ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: ଫ୍ଲାଇଟରେ ପୁଣିଥରେ ବୋମା ଗୁଜବ । ସୋମବାର (ଜୁନ୍ ୩) ଆକାସା ଏୟାରର ଦିଲ୍ଲୀ-ମୁମ୍ବାଇ ଏବଂ ଇଣ୍ଡିଗୋର ଚେନ୍ନାଇ-କୋଲକାତା ବିମାନରେ ବୋମା ଥିବା ନେଇ ଗୁଜବ ପରେ ଆତଙ୍କ ଖେଳିଯାଇଥିଲା । ଆକାସା ଏୟାର ବିମାନକୁ ଅହମ୍ମଦାବାଦକୁ ଡାଏଭର୍ଟ କରି ଦିଆଯାଇଥିଲା। ବିମାନରେ ଜଣେ ଶିଶୁ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କ ସହ ୧୮୬ ଜଣ ଯାତ୍ରୀ ଥିଲେ।

ବିମାନର ମୁଖପାତ୍ର କହିଛନ୍ତି ଯେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ପରେ ବିମାନରେ ସୁରକ୍ଷା ସମ୍ବନ୍ଧୀୟ ଆଲର୍ଟ ଆସିଥିଲା । ଏହା ପରେ ବିମାନକୁ ପୂର୍ବାହ୍ନ ୧୦:୧୩ ମିନିଟରେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ସେଫ୍ ଲ୍ୟାଣ୍ଡିଂ କରାଯାଇଥିଲା । ବୋମା ଧମକ ନେଇ ତଦନ୍ତ ଜାରି ରହିଛି।

ଅନ୍ୟପକ୍ଷରେ ଚେନ୍ନାଇରୁ କୋଲକାତା ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ମଧ୍ୟ ବୋମା ଆତଙ୍କ ଯୋଗୁଁ ଏହି ଫ୍ଲାଇଟ୍ ଦୁଇ ଘଣ୍ଟା ବିଳମ୍ବ ହୋଇଥିଲା। ଥୁରାଇପକ୍କମର ଇଣ୍ଡିଗୋ କଲ୍ ସେଣ୍ଟରରୁ ଏକ କଲ୍ ଆସିଥିଲା ଯେଉଁଥିରେ‌ କୁହାଯାଇଥିଲା ଯେ ଚେନ୍ନାଇ-କୋଲକାତା ବିମାନରେ ବୋମା ବିସ୍ଫୋରଣ ହେବ ।

ସେତେବେଳକୁ ଯାତ୍ରୀମାନେ ବିମାନରେ ବସି ସାରିଥିଲେ । ବୋମା ଧମକ ପରେ ସମସ୍ତଙ୍କୁ ତଳକୁ ଅଣାଯାଇଥିଲା | ବିମାନକୁ ନିର୍ଜନ ସ୍ଥାନକୁ ନିଆଯାଇ ତଲାସି କରାଯାଇଥିଲା। ତେବେ ତଲାସି ବେଳେ କୌଣସି ସନ୍ଦେହଜନକ ବସ୍ତୁ ମିଳି ନଥିଲା। ସମସ୍ତ ସୁରକ୍ଷା ପ୍ରକ୍ରିୟା ଶେଷ ହେବା ପରେ ଏହି ବିମାନ ସକାଳ ୧୦.୩୦ରେ କୋଲକାତା ଅଭିମୁଖେ ଯାତ୍ରା କରିଥିଲା ।