ମାନହାନି ମାମଲାରେ ନଓ୍ବାବ ମଲିକଙ୍କୁ ଜବାବ ଦାଖଲ ପାଇଁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ | News Room Odisha

ମାନହାନି ମାମଲାରେ ନଓ୍ବାବ ମଲିକଙ୍କୁ ଜବାବ ଦାଖଲ ପାଇଁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକଙ୍କ ସମସ୍ୟା ବଢିପାରେ। ସୋମବାର ବମ୍ବେ ହାଇକୋର୍ଟ ଏନସିବି ଅଧିକାରୀ ସମୀର ୱାଙ୍ଖେଡେଙ୍କ ବାପାଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାରେ ନଓ୍ବାବ ମଲିକଙ୍କୁ ଜବାବ ତଲବ କରିଛନ୍ତି । ଜଷ୍ଟିସ ମାଧବ ଜାମଦାରଙ୍କ ଏକ ଖଣ୍ଡପୀଠ ମଲିକଙ୍କୁ ମଙ୍ଗଳବାର ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି। କୋର୍ଟ ମାମଲାର ଶୁଣାଣି ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। କେବଳ ଏତିକି ନୁହେଁ, କୋର୍ଟ ମଲିକଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ ଯଦି ଆପଣ ଟ୍ୱିଟରରେ ଉତ୍ତର ଦେଇପାରୁଛନ୍ତି, ତେବେ ଆପଣ ଏଠାରେ(କୋର୍ଟ) ମଧ୍ୟ ଉତ୍ତର ରଖିବାକୁ ପଡ଼ିବ।

ମଲିକଙ୍କୁ ମାମଲାର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ତାଙ୍କ ପରିବାର ବିରୋଧରେ ବୟାନ ନଦେବାକୁ ୱାଙ୍ଖେଡେଙ୍କ ବାପା ଧ୍ୟାନଦେବ ୱାଙ୍ଖେଡେ ନିଜ ଆବେଦନରେ ଦାବି କରିଥିଲେ । କିନ୍ତୁ କୋର୍ଟ ସେପରି କୌଣସି ଆଦେଶ ଦେଇନାହାଁନ୍ତି।

ଧ୍ୟାନଦେବ ୱାଙ୍ଖେଡେଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଓକିଲ ଅର୍ଶଦ ଶେଖ କୋର୍ଟଙ୍କୁ କହିଛନ୍ତି ଯେ ମଲିକ ପ୍ରତିଦିନ ସମାନ ପ୍ରକାରର ମିଛ ଓ ଅପମାନଜନକ ବୟାନ ଦେଉଛନ୍ତି, ଯାହା ତାଙ୍କ ମହକିଲଙ୍କ ପ୍ରତି ବଦନାମ୍ ଆଣିଛି। ଶେଖ କହିଛନ୍ତି ଯେ ଆଜି ସକାଳେ ମଲିକ, ସମୀର ଓ୍ବାଙ୍ଖେଡେଙ୍କ ଶାଳି ସମ୍ପର୍କରେ ଟ୍ୱିଟ୍ କରିଛନ୍ତି। ଅନ୍ତତଃ ପକ୍ଷେ ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ କୋର୍ଟ ମଲିକଙ୍କୁ ବିବୃତ୍ତି ଦେବାକୁ ବାରଣ କରିବା ଉଚିତ ବୋଲି ଅର୍ଶଦ ପୁଣି ଥରେ ନିବେଦନ କରିଥିଲେ।