ଚନ୍ଦା କୋଚରଙ୍କୁ ମିଳିଲାନି ଆଶ୍ବସ୍ତି, ଆବେଦନର ଶୀଘ୍ର ଶୁଣାଣି ପାଇଁ ମନାକଲେ ବମ୍ବେ ହାଇକୋର୍ଟ | News Room Odisha

ଚନ୍ଦା କୋଚରଙ୍କୁ ମିଳିଲାନି ଆଶ୍ବସ୍ତି, ଆବେଦନର ଶୀଘ୍ର ଶୁଣାଣି ପାଇଁ ମନାକଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଭିଡିଓକନ୍ ଋଣ ଜାଲିଆତି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମଡି ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ କୌଣସି ଆଶ୍ବସ୍ତି ମିଳି ନାହିଁ । ବମ୍ବେ ହାଇକୋର୍ଟର ଏକ ଅବକାଶ ବେଞ୍ଚ କୋଚରଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

ଭିଡିଓକନ୍ ଋଣ ଜାଲିଆତି ମାମଲାରେ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀଙ୍କୁ ସିବିଆଇ ଶୁକ୍ରବାର ଗିରଫ କରିଥିଲା । ସେମାନଙ୍କ ଗିରଫକୁ ଚ୍ୟାଲେଞ୍ଜ କରି ଚନ୍ଦା କୋଚର ପିଟିସନ ଦାଖଲ କରିଥିଲେ।

କୋଚର ଦମ୍ପତିଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବା ଓକିଲ କିଶୋର ମୋର୍ କହିଛନ୍ତି ଯେ ବମ୍ବେ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଶୀଘ୍ର ଶୁଣାଣି ପାଇଁ ଅଭିଯୁକ୍ତଙ୍କ ଦାବିକୁ ଗ୍ରହଣ କରିନାହାଁନ୍ତି ।

ଜଷ୍ଟିସ ମାଧବ ଜାମଦାରଙ୍କ ଅଧ୍ୟକ୍ଷତାରେ ଏକ ଅବକାଶ କାଳିନ ବେଞ୍ଚ କହିଛନ୍ତି ଯେ ଏଫ୍ଆଇଆର୍ ଓ ରିମାଣ୍ଡ୍ ଅର୍ଡରକୁ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନର ଶୀଘ୍ର ଶୁଣାଣି କରିବାର କୌଣସି ଆବଶ୍ୟକତା ନାହିଁ। କୋର୍ଟ କୋଚର ଦମ୍ପତିଙ୍କୁ ରେଗୁଲାର କୋର୍ଟରେ ଜାମିନ ଆବେଦନ କରିବାକୁ କହିଛନ୍ତି ।‌ ଜାନୁୟାରୀ ୨ରେ (ଯେଉଁ ଦିନ କୋର୍ଟ ଖୋଲିବ) ସେମାନଙ୍କ ଆବେଦନ ଉପରେ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି ।

ଚନ୍ଦା କୋଚର ଏବଂ ଦୀପକ କୋଚରଙ୍କ ଗିରଫକୁ ‘ବେଆଇନ’ ବୋଲି ଦର୍ଶାଇ ଓକିଲ କୁଶଲ ମୋର୍ କୋର୍ଟରେ ଯୁକ୍ତି କରିଥିଲେ ଯେ ଉଭୟଙ୍କୁ ଚାରି ବର୍ଷ ପରେ ଗିରଫ କରାଯାଇଛି। ଏହା ଧାରା ୪୧-ଏ ର ଉଲ୍ଲଂଘନ ଏବଂ ବେଆଇନ। ”

ଡିସେମ୍ବର ୨୩ ରେ ଚନ୍ଦା କୋଚର ଏବଂ ଦୀପକ କୋଚରଙ୍କୁ ସିବିଆଇ ଗିରଫ କରିଥିଲା। ପୁଣି ସୋମବାର ଏହି ମାମଲାରେ ସିବିଆଇ ଅନ୍ୟତମ ଅଭିଯୁକ୍ତ ଭିଡିଓକନ୍ ଗ୍ରୁପ୍ ଅଧ୍ୟକ୍ଷ ଭିଏନ୍ ଧୂତଙ୍କୁ ଗିରଫ କରିଥିଲା ।