ବୋପାନ୍ନା ଜିତିଲେ ଅଷ୍ଟ୍ରେଲିଆନ ଓପନ ପୁରୁଷ ଡବଲ୍ସ ଟାଇଟଲ୍, ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିବାରେ ସବୁଠୁ ବୟସ୍କ ଖେଳାଳି | News Room Odisha

ବୋପାନ୍ନା ଜିତିଲେ ଅଷ୍ଟ୍ରେଲିଆନ ଓପନ ପୁରୁଷ ଡବଲ୍ସ ଟାଇଟଲ୍, ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିବାରେ ସବୁଠୁ ବୟସ୍କ ଖେଳାଳି

ମେଲବୋର୍ଣ୍ଣ: ଭାରତୀୟ ଟେନିସ୍ ଷ୍ଟାର ରୋହନ ବୋପାନ୍ନା ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଡେନଙ୍କ ସହ ମିଶି ଅଷ୍ଟ୍ରେଲିଆନ ଓପନ୍ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି । ବୋପାନ୍ନା-ଏବଡେନ୍ ଯୋଡି ଶନିବାର ଫାଇନାଲରେ ସିମୋନ ବୋଲେଲି ଓ ଆଣ୍ଡ୍ରେଆ ଭାଭାସୋରିଙ୍କୁ ହରାଇ ଟାଇଟଲ୍ ହାତେଇଛନ୍ତି । ଏଥିସହ ପୁରୁଷ ବର୍ଗରେ ଏକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାରେ ତୃତୀୟ ଭାରତୀୟ ଖେଳାଳି ହୋଇଛନ୍ତି ବୋପାନ୍ନା ।

ଦ୍ୱିତୀୟ ସିଡ୍ ବୋପାନ୍ନା-ଏବଡେନ୍ ଯୋଡି ଏକ ଘଣ୍ଟା ୩୯ ମିନିଟ୍ ଧରି ଚାଲିଥିବା ଫାଇନାଲରେ ଅଣସିଡେଡ୍ ଯୋଡି ବୋଲେଲି-ଭାଭାସୋରିଙ୍କୁ ସିଧାସଳଖ ୭-୬ (୦) ୭-୫ ସେଟରେ ହରାଇଥିଲେ |

ଏହା ପୂର୍ବରୁ ଭାରତର କେବଳ ଲିଆଣ୍ଡର ପେସ୍ ଓ ମହେଶ ଭୂପତି ପୁରୁଷ ଟେନିସରେ ଏକ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଥିବାବେଳେ ସାନିଆ ମିର୍ଜା ମହିଳା ଟେନିସରେ ଏହି ସଫଳତା ହାସଲ କରିଛନ୍ତି।

ଏହା ହେଉଛି ବୋପାନ୍ନାଙ୍କର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ୍ | ପୂର୍ବରୁ ୨୦୧୭ରେ ସେ କାନାଡିୟ ଗାବ୍ରିଏଲା ଡାବ୍ରୋଭସ୍କିଙ୍କ ସହିତ ମିଶି ଫ୍ରେଞ୍ଚ ଓପନ୍ ମିକ୍ସଡ୍ ଡବଲ୍ସ ଟାଇଟଲ୍ ଜିତିଥିଲେ |

୪୩ ବର୍ଷୀୟ ବୋପାନ୍ନା ପୁରୁଷ ଟେନିସରେ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିବାରେ ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି। ଏଥିସହ ସେ ନେଦରଲାଣ୍ଡ୍ସର ଜାନ ଜୁଲିଏନ୍ ରୋଜରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଜୁଲିଏନ୍ ରୋଜର ୪୦ ବର୍ଷ ବୟସରେ ୨୦୨୨ ମସିହାରେ ମାର୍ସେଲୋ ଆରେଭୋଲାଙ୍କ ସହ ମିଶି ଫ୍ରେଞ୍ଚ ଓପନ୍ ପୁରୁଷ ଡବଲ୍ସ ଟ୍ରଫି ଜିତିଥିଲେ ।

ଅଷ୍ଟ୍ରେଲିଆନ ଓପନ୍ ଟାଇଟଲ ପରେ ବୋପାନ୍ନା ସୋମବାର ପ୍ରକାଶ ପାଇବାକୁ ଥିବା ଏଟିପି ର଼୍ୟାଙ୍କିଙ୍ଗରେ ଏକ ନମ୍ବର ଖେଳାଳି ହେବେ। ୪୩ ବର୍ଷ ବୟସରେ ଶୀର୍ଷ ମାନ୍ୟତାରେ ପହଞ୍ଚିବାରେ ମଧ୍ୟ ବୋପାନ୍ନା ସବୁଠୁ ବୟସ୍କ ଖେଳାଳି ହେବେ।