ଇସ୍ତଫା ଦେବେ ବୋରିସ୍ ଜନସନ | News Room Odisha

ଇସ୍ତଫା ଦେବେ ବୋରିସ୍ ଜନସନ

ଲଣ୍ଡନ: ନିଜ ଦଳ ଭିତରେ ବିରୋଧର ସମ୍ମୁଖୀନ ହୋଇଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କଞ୍ଜେର୍ଭେଟିଭ୍ ଦଳର ନେତା ପଦରୁ ଇସ୍ତଫା ଦେବେ । ଗତ ଦୁଇ ଦିନ ମଧ୍ୟରେ ବୋରିସ୍ ଜନସନଙ୍କ କ୍ୟାବିନେଟର ଅନେକ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଏବଂ ବହୁ ସାଂସଦ ମଧ୍ୟ ତାଙ୍କ ପ୍ରତି ବିମୁଖ ହୋଇଥିବା ଜଣାପଡ଼ିଛି ।

ଆଗାମୀ ସମୟରେ କଞ୍ଜେର୍ଭେଟିଭ୍ ପାର୍ଟିର ନୂଆ ନେତା ପାଇଁ ନିର୍ବାଚନ ହେବ ଏବଂ ଅକ୍ଟୋବରରେ ପାର୍ଟି ସମ୍ମିଳନୀରେ ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ସେ ପର୍ଯ୍ୟନ୍ତ ଜନସନ୍ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବେ । ତେବେ ଅନେକ ମନ୍ତ୍ରୀଙ୍କ ଇସ୍ତଫା ପରେ ବୋରିସ୍ ଜନସନ ଦୃଢ଼ ଭାବେ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିବେ ।

ବ୍ରିଟେନରେ ମନ୍ତ୍ରୀଙ୍କ ଇସ୍ତଫାର ଧାରା ଅର୍ଥମନ୍ତ୍ରୀ ରିଷି ସୁନାକ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦଙ୍କ ଇସ୍ତଫାରୁ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ନେତୃତ୍ୱ ଉପରେ ସେମାନଙ୍କର ଆଉ ଭରସା ନାହିଁ ବୋଲି କହି ଉଭୟେ ଇସ୍ତଫା ଦେଇଥିଲେ ।

ସାଂସଦ କ୍ରିସ୍ ପିଞ୍ଚରଙ୍କୁ ଡେପୁଟି ଚିଫ୍ ହ୍ବିପ୍ କରିବା ପରଠାରୁ ପୂରା ବିବାଦ ଆରମ୍ଭ ହୋଇଥିଲା। ସାଂସଦ କ୍ରିସ ପିଞ୍ଚରଙ୍କୁ ସରକାରୀ ଦାୟିତ୍ବ ଦେଇଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ କ୍ଷମା ମାଗିଥିଲେ। କିନ୍ତୁ ମନ୍ତ୍ରୀ ଓ ସାଂସଦମାନେ ଏଥିରେ ସହମତ ହୋଇନଥିଲେ । ବୋରିସ୍ ଜନସନ ସ୍ବୀକାର କରିଥିଲେ ଯେ ଚଳିତ ବର୍ଷ ଆରମ୍ଭରେ ପିଞ୍ଚରଙ୍କୁ ଡେପୁଟି ଚିଫ୍ ହ୍ବିପ୍ ଭାବରେ ନିଯୁକ୍ତ କରି ସେ ଏକ ବଡ଼ ଭୁଲ କରିଛନ୍ତି।

ପିଞ୍ଚରଙ୍କ ବିରୋଧରେ ଆସିଥିବା ଅଭିଯୋଗ ବିଷୟରେ ବୋରିସ୍ ଜନସନ ଜାଣି ସୁଦ୍ଧା ସେ ତାଙ୍କୁ ନିଯୁକ୍ତ କରିଥିଲେ।ବିରୋଧୀଙ୍କ ସହ ତାଙ୍କ ନିଜ ସାଂସଦ ମଧ୍ୟ ବୋରିସ୍ ଜନସନଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରୁଥିଲେ।

ପିଞ୍ଚରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା । ଏଥିପାଇଁ ତାଙ୍କୁ ଗତ ସପ୍ତାହରେ କଞ୍ଜେର୍ଭେଟିଭ୍ ପାର୍ଟି ସାଂସଦରୁ ନିଲମ୍ବିତ କରାଯାଇଥିଲା। ତେବେ ପିଞ୍ଚର ତାଙ୍କ ବିରୋଧରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ।