ରାହୁଲଙ୍କ ବୟାନକୁ ନେଇ ସଂସଦରେ ହଙ୍ଗାମା ଜାରି, କ୍ଷମା ମାଗିବାକୁ ଦାବି ଦୋହରାଇଲା ବିଜେପି, ପ୍ରଶ୍ନ ଉଠୁନି କହିଲା କଂଗ୍ରେସ | News Room Odisha

ରାହୁଲଙ୍କ ବୟାନକୁ ନେଇ ସଂସଦରେ ହଙ୍ଗାମା ଜାରି, କ୍ଷମା ମାଗିବାକୁ ଦାବି ଦୋହରାଇଲା ବିଜେପି, ପ୍ରଶ୍ନ ଉଠୁନି କହିଲା କଂଗ୍ରେସ

ନୂଆଦିଲ୍ଲୀ: ବିଦେଶରେ ଭାରତର ଗଣତନ୍ତ୍ର ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ସଂସଦରେ ହଙ୍ଗାମା ଜାରି ରହିଛି । ରାହୁଲ କ୍ଷମା ମାଗନ୍ତୁ ବୋଲି ବିଜେପି ନିଜ ଦାବିରେ ଅଟଳ ରହିଥିବା ବେଳେ ଏହାର ପ୍ରଶ୍ନ ଉଠୁନି ବୋଲି କହିଛି କଂଗ୍ରେସ । ହୋହଲ୍ଲା ମଧ୍ୟରେ ଗୃହକାର୍ଯ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ବ୍ରିଟେନରେ ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ଭାରତୀୟ ଗଣତନ୍ତ୍ର ବିପଦରେ ପଡ଼ିଛି ବୋଲି କହିଥିଲେ । ବିଜେପି ରାହୁଲଙ୍କ ଏପରି ମନ୍ତବ୍ୟକୁ ନିନ୍ଦା କରିଛି । ଏହାକୁ ବିଦେଶରେ ଭାରତକୁ ବଦନାମ କରିବା ପାଇଁ ଏକ ଷଡଯନ୍ତ୍ର ବୋଲି ବିଜେପି କହିଛି।

ଆଜି ବି ଏହି ପ୍ରସଙ୍ଗକୁ ନେଇ ଲୋକସଭାରେ ବିଜେପି ସାଂସଦମାନେ ‘ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ’ ସ୍ଲୋଗାନ ଦେଇ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ‌। ଏହା ପରେ ଉଭୟ ଲୋକସଭା ଓ ରାଜ୍ୟସଭା ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ଶାସକ ଦଳ ରାହୁଲଙ୍କ କ୍ଷମା ଦାବି କରୁଥିବା ବେଳେ ବିରୋଧ ଆଦାନୀ ବିବାଦକୁ ନେଇ ପାଲଟା ଆକ୍ରମଣ କରିଥିଲେ। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଗୃହ ମଧ୍ୟଭାଗକୁ ଚାଲି ଆସିଥିଲେ। ଆଦାନୀ ଗ୍ରୁପ୍ ଦ୍ୱାରା ହୋଇଥିବା ଷ୍ଟକ୍ ଜାଲିଆତି ଉପରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଯାଞ୍ଚ କରିବାକୁ ସେ ଦାବି କରିଥିଲେ।

ବୁଧବାର ଲୋକସଭା ବାଚସ୍ପତି ଓମ ବିର୍ଲା ସଦସ୍ୟମାନଙ୍କୁ ନିଜ ଆସନକୁ ଫେରି ଗୃହକାର୍ଯ୍ୟ ଚଳାଇବାରେ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ। କିନ୍ତୁ ବିରୋଧୀ ଓ ଶାସକ ନିଜ ନିଜ ଜିଦରେ ଅଟଳ ରହିଥିଲେ ।

ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ସଦସ୍ୟଙ୍କୁ ନିଲମ୍ବନ କରିବାକୁ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଅନୁରୋଧ କରିଥିଲେ । ଏହାଛଡ଼ା ବିଦେଶରେ ଦେଇଥିବା ବୟାନ ପାଇଁ ରାହୁଲ ଗାନ୍ଧୀ ଗୃହରେ କ୍ଷମା ମାଗନ୍ତୁ ବୋଲି ଗୋୟଲ ଦାବି କରିଥିଲେ। ସେ କହିଥିଲେ, “ଏହା ଅତ୍ୟନ୍ତ ଗମ୍ଭୀର ମାମଲା। ରାହୁଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଗୃହର ଜଣେ ସଦସ୍ୟ ଯେପରି ବିଦେଶ ଯାଇ ଭାରତ ସଂସଦକୁ ଅପମାନିତ କରନ୍ତି ତାହା ଚିନ୍ତାଜନକ ବିଷୟ | ଯଦି ସେ କ୍ଷମା ନ ମାଗନ୍ତି ଏବଂ ଯଦି ସେ ଏହିପରି ଆଚରଣ ଜାରି ରଖନ୍ତି, ତେବେ ତାଙ୍କୁ ଗୃହରୁ ନିଲମ୍ବିତ କରାଯିବା ଉଚିତ୍ ବୋଲି ଗୋୟଲ କହିଥିଲେ |

ସେପଟେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ରାହୁଲ କ୍ଷମା ମାଗିବାର ପ୍ରଶ୍ନ ହିଁ ଉଠୁନି ।