ପବଜୀ ଖେଳିବାକୁ ରୋକିବାରୁ ମାଆକୁ ହତ୍ୟା କଲା ପୁଅ | News Room Odisha

ପବଜୀ ଖେଳିବାକୁ ରୋକିବାରୁ ମାଆକୁ ହତ୍ୟା କଲା ପୁଅ

ଲକ୍ଷ୍ନୌ: ଅନଲାଇନ୍ ଗେମ୍ କିପରି ପିଲାମାନଙ୍କୁ ପଥଭ୍ରଷ୍ଟ କରୁଛି ତା’ର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ପବଜୀ ଖେଳିବାକୁ ମନା କରିବାରୁ ଜଣେ ୧୬ ବର୍ଷୀୟ ବାଳକ ତା’ର ମାଆକୁ ଗୁଳିକରି ହତ୍ୟା କରିଛି | ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏହି ଘଟଣା ଘଟିଛି । ପୁଅ ଉପରେ ପବଜୀ ଖେଳ ନିଶା ଏତେ ଚଢ଼ିଯାଇଥିଲା ଯେ ଦିନରାତି ସେ ଖାଲି ଏହି ଗେମରେ ମଜ୍ଜି ରହୁଥିଲା । ଏନେଇ ଗାଳି କରିବାରୁ ବାଳକ ଜଣକ ତା’ ମାଆକୁ ଗୁଳିକରି ହତ୍ୟା କରିଥିଲା |

ଲକ୍ଷ୍ନୌର ପିଜିଆଇ ଅଞ୍ଚଳରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ମା’କୁ ହତ୍ୟା କରିବା ପରେ ବାଳକ ଜଣକ ଶବକୁ ତିନି ଦିନ ଘରେ ଲୁଚାଇ ରଖିଥିଲା । ଏପରିକି ସେ ତାର ଦୁଇ ସାଙ୍ଗକୁ ଘରକୁ ଡ଼ାକି ପାର୍ଟି କରିଥିଲା । ବାଳକ ଜଣକ ଅନ୍ ଲାଇନରେ ଅଣ୍ଡା ତରକାରୀ ଅର୍ଡର କରି ସାଙ୍ଗମାନଙ୍କୁ ଦେଇଥିଲା । ଏହା ପରେ ସେମାନଙ୍କ ସହ ମିଶି ଫିଲ୍ମ ଦେଖିଥିଲା । ସାଙ୍ଗମାନେ ଯେତେବେଳେ ତାକୁ ମାଉସୀ କୁଆଡ଼େ ଗଲେ ବୋଲି ପଚାରିଲେ, ସେ କହିଥିଲା ଘରେ ଅଛନ୍ତି।

ଅଭିଯୁକ୍ତ ନାବାଳକ ଜଣକ ପୋଲିସ ଆଗରେ ତା’ ମାଆକୁ ସେ ହତ୍ୟା କରିଥିବା ମାନିଛି । ପବଜୀ ଖେଳିବାକୁ ନେଇ ଗାଳି କରିବାରୁ ରାଗିଯାଇ ରବିବାର ମଧ୍ୟରାତ୍ରିରେ ବାପାଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲରେ ସେ ମାଆକୁ ଗୁଳି କରି ହତ୍ୟା କରିଥିଲା ବୋଲି ଅଭିଯୁକ୍ତ ନାବାଳକ ପୋଲିସକୁ କହିଛି ।|

ପଡୋଶୀମାନେ ପୋଲିସକୁ ସୂଚନା ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପୁଅର ବାପା ଜଣେ ସେନା କର୍ମଚାରୀ ଓ ତାଙ୍କର ପୋଷ୍ଟିଂ ପଶ୍ଚିମବଙ୍ଗରେ | ଲକ୍ଷ୍ନୌ ସ୍ଥିତ ଘରେ ମା ଏବଂ ପୁଅ ରହୁଥିଲେ। ବାପା ଲାଇସେନ୍ସପ୍ରାପ୍ତ ରିଭଲଭରକୁ ଘରେ ଛାଡ଼ିଦେଇ ପଳାଇଥିଲେ। ଯାହା ସାହାଯ୍ୟରେ ତାଙ୍କ ପୁଅବି ତାଙ୍କ ସଂସାର ଉଜାଡ଼ି ଦେଇଛି ।