ଝିଅର ଅଶ୍ଳୀଳ ଭିଡିଓକୁ ବିରୋଧ କରିବାରୁ ବିଏସ୍ଏଫ୍ ଯବାନଙ୍କୁ ପିଟିପିଟି ହତ୍ୟା | News Room Odisha

ଝିଅର ଅଶ୍ଳୀଳ ଭିଡିଓକୁ ବିରୋଧ କରିବାରୁ ବିଏସ୍ଏଫ୍ ଯବାନଙ୍କୁ ପିଟିପିଟି ହତ୍ୟା

ଅହମ୍ମଦାବାଦ: ଝିଅର ଭାଇରାଲ ଅଶ୍ଳୀଳ ଭିଡିଓକୁ ବିରୋଧ କରିବାରୁ ଜଣେ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଗୁଜରାଟର ନଡିୟାଦରେ ଘଟିଛି ଏହି ଘଟଣା । ଏହି ମାମଲାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି।

ସୂଚନାନୁସାରେ, ନିଜ ଝିଅର ଅଶ୍ଲୀଳ ଭିଡ଼ିଓକୁ ବିରୋଧ କରି ବିଏସ୍ଏଫ୍ ଯବାନ ମେଲଜୀଭାଇ ଓ୍ବାଘେଲା ଶନିବାର ଚକଲାସି ଗ୍ରାମର ଜଣେ ୧୫ ବର୍ଷ ବାଳକର ଘରକୁ ଯାଇଥିବା ବେଳେ ବାଳକର ପରିବାର ଲୋକେ ତାଙ୍କୁ ଆକ୍ରମଣ କରିଥିଲେ । ସେମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଘଟଣାସ୍ଥଳରେ ଓ୍ବାଘେଲାଙ୍କ‌ ମୃତ୍ୟୁ ହୋଇଥିଲା ।

ମୃତ ଯବାନଙ୍କ ଝିଅ ଯେଉଁ ସ୍କୁଲରେ ପଢ଼ନ୍ତି, ଅଭିଯୁକ୍ତ ପୁଅ ମଧ୍ୟ ସେହି ସ୍କୁଲର ଛାତ୍ର । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଇଛି | ଝିଅର ଏକ ଅଶ୍ଳୀଳ ଭିଡିଓ ଅନଲାଇନରେ ପୋଷ୍ଟ କରାଯାଇଥିବା ଜାଣିବା ପରେ ବିଏସଏଫ ଯବାନ ମେଲଜୀଭାଇ ଓ୍ବାଘେଲା ତାଙ୍କ ପରିବାର ସହିତ ପୁଅର ଘରକୁ କଥା ହେବାକୁ ଯାଇଥିଲେ ।

ପୋଲିସ ଏତଲାରେ ମୁତାବକ, ଯବାନ ତାଙ୍କ ପତ୍ନୀ, ଦୁଇ ପୁଅ ଏବଂ ଜ୍ୱାଇଁଙ୍କ ସହିତ ପୁଅର ଘରକୁ ଯାଇଥିଲେ। କିନ୍ତୁ ତାଙ୍କ ପରିବାର ଲୋକ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେ ଏହାକୁ ବିରୋଧ କରିବାରୁ ପୁଅର ପରିବାର ଲୋକ ଓ୍ବାଘେଲା ଓ ତାଙ୍କ ପତ୍ନୀ ଓ ଜ୍ବାଇଁଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି ବରିଷ୍ଠ ପୋଲିସ ଅଧିକାରୀ ବିଆର୍ ବାଜପେୟୀ କହିଛନ୍ତି ।