ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ଫ୍ଲାଟରେ ଚାଲିଲା ବୁଲଡୋଜର | News Room Odisha

ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ଫ୍ଲାଟରେ ଚାଲିଲା ବୁଲଡୋଜର

ନୋଏଡା: ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର ୯୩ ସ୍ଥିତ ଗ୍ରାଣ୍ଡ ଓମେକ୍ସ ସୋସାଇଟିରେ ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ଫ୍ଲାଟରେ ଚାଲିଛି ବୁଲଡୋଜର । ତାଙ୍କ ବେଆଇନ ନିର୍ମାଣ ଭଙ୍ଗାଯାଇଛି ।

ନିକଟରେ ଏହି ମାମଲା ସହ ଜଡିତ ଏକ ଭିଡିଓ ଭାଇରାଲ ହେବା ପରେ ସୋମବାର ସକାଳେ ପ୍ରଶାସନ ଏକ ବୁଲଡୋଜର ପଠାଇ ତ୍ୟାଗୀଙ୍କ ଅବୈଧ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ନୋଏଡାର ସେକ୍ଟର-୯୩ ସ୍ଥିତ ଗ୍ରାଣ୍ଡ ଓମେକ୍ସ ସୋସାଇଟିରେ ଗଛ ଲଗାଇବାକୁ କେନ୍ଦ୍ର କରି ଶ୍ରୀକାନ୍ତ ତ୍ୟାଗୀ ସର୍ବସମ୍ମୁଖରେ ଜଣେ ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଶ୍ରୀକାନ୍ତ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା ।

ଶ୍ରୀକାନ୍ତ ମଧ୍ୟ ସୋସାଇଟିର ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଶ୍ରୀକାନ୍ତ ନିଜକୁ ବିଜେପି ସହ ଜଡିତ ଜଣେ ନେତା ବୋଲି ଦାବି କରିଥିଲେ। ତେବେ ବିଜେପି ଏହାକୁ ଅସ୍ୱୀକାର କରିଛି।

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣା (ମହିଳାଙ୍କ ସହ ଦୁର୍ବ୍ୟବହାର) ଉପରେ ନଜର ରଖିଛନ୍ତି ଏବଂ ଆମେ କୌଣସି ଦୋଷୀଙ୍କୁ ଛାଡ଼ିବୁ ନାହିଁ।

ସେ କହିଛନ୍ତି, “ଭିଡିଓ ମାଧ୍ୟମରେ ଆମକୁ ପୁରା ଘଟଣା ସମ୍ପର୍କରେ ସୂଚନା ମିଳିଛି। ରାତିରେ ଆମେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛୁ। ତଦନ୍ତ ରିପୋର୍ଟ ପାଇବା ମାତ୍ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଗତକାଲି ରାତିରେ ବିଜେପି ବିଧାୟକ ପଙ୍କଜ ସିଂହ ମଧ୍ୟ ଓମେକ୍ସ ସୋସାଇଟି ଗସ୍ତ କରିଥିଲେ। ସେ କହିଛନ୍ତି, “ମହିଳାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଇଛି ଏବଂ ଏଠାରେ ପୋଲିସ ମଧ୍ୟ ମୁତୟନ କରାଯାଇଛି। ଯେଉଁମାନେ ଏଭଳି ଘଟଣା ଘଟାଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।”

ଯେଉଁମାନେ ଗ୍ରାଣ୍ଡ ଓମାକ୍ସ ସୋସାଇଟିରେ ପ୍ରବେଶ କରି ଲୋକଙ୍କୁ ଧମକାଇଥିଲେ ସେମାନଙ୍କୁ ଗିରଫ କରାଯାଇଛି। ୭ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କମିଶନର ଆଲୋକ ସିଂ କହିଛନ୍ତି । ତେବେ ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କରାଯାଇ ନାହିଁ । ସେ ଫେରାର ଥିବା ଜଣାପଡିଛି ।