ଫେରିଲେ ବୁମରା, ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ନେବେ ଭାରତୀୟ ଦଳର ନେତୃତ୍ବ | News Room Odisha

ଫେରିଲେ ବୁମରା, ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ନେବେ ଭାରତୀୟ ଦଳର ନେତୃତ୍ବ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ସିରିଜ୍ ସହ ଷ୍ଟାର ପେସର ଯଶପ୍ରୀତ ବୁମରା ପ୍ରତିଯୋଗିତା ମୂଳକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ । ତାଙ୍କୁ ଏହି ସିରିଜ୍ ପାଇଁ ଦଳର ଅଧିନାୟକ କରାଯାଇଛି। ବୁମରା ୮ ମାସ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଋତୁରାଜ ଗାଏକୱାଡ ଏହି ସିରିଜ ପାଇଁ ଦଳର ଉପଅଧିନାୟକ ହୋଇଛନ୍ତି ।

ଆୟର୍ଲାଣ୍ଡ ଗସ୍ତ ପାଇଁ ବର୍ତ୍ତମାନ ଭାରତୀୟ ଟି-୨୦ ଦଳର ଅଧିନାୟକ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି। ଏହି ସିରିଜ୍ ମାଧ୍ୟମରେ ଶିବମ୍ ଦୁବେ ମଧ୍ୟ ପୁଣି ଥରେ ଭାରତୀୟ ଟି-୨୦ ଦଳକୁ ଫେରିଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟି-୨୦ ଦଳରେ ସ୍ଥାନ ପାଇ ନ ଥିବା ରିଙ୍କୁ ସିଂଙ୍କୁ ଆୟର୍ମଲାଣ୍ଡ ସିରିଜ୍ ପାଇଁ ଭାରତୀୟ ଦଳର ସାମିଲ କରାଯାଇଛି ।

ରୋହିତ ଶର୍ମା ଏବଂ ବିରାଟ କୋହଲି ଟି-୨୦ ବିଶ୍ୱକପ ୨୦୨୨ ପରଠୁ ଏହି ଫର୍ମାଟରେ ନିୟମିତ ଖେଳୁନାହାଁନ୍ତି । ଆୟର୍ଲାଣ୍ଡ ଗସ୍ତରୁ ମଧ୍ୟ ଉଭୟଙ୍କୁ ଭାରତୀୟ ଦଳରେ ସ୍ଥାନ ଦିଆଯାଇ ନାହିଁ। ଭାରତୀୟ ଦଳ ଆୟର୍ଲାଣ୍ଡ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ମ୍ୟାଚ୍ ଗୁଡ଼ିକ ଅଗଷ୍ଟ ୧୮, ଅଗଷ୍ଟ ୨୦ ଓ ୨୩ରେ ଖେଳାଯିବ |

ଏହି ସିରିଜ୍ ସହ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି। ସେ ପ୍ରଥମ ଥର ପାଇଁ ଭାରତୀୟ ଟି-୨୦ ଦଳରେ ସ୍ଥାନ ପାଇଥିବା ବେଳେ ଅଲରାଉଣ୍ଡର ଶିବମ୍ ଦୁବେ ଦୀର୍ଘ ଦିନର ବ୍ୟବଧାନ ପରେ ଟି-୨୦ ଦଳକୁ ଫେରିଛନ୍ତି। ଯଶସ୍ବୀ ଜୈସୱାଲଙ୍କୁ ମଧ୍ୟ ଆୟର୍ଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି। ତାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ଦଳରେ ମଧ୍ୟ ସ୍ଥାନ ଦିଆଯାଇଥିଲା । ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ସଞ୍ଜୁ ସାମସନ ଏବଂ ଜିତେଶ ଶର୍ମା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବେ ସ୍ଥାନ ପାଇଥିବାବେଳେ ଆଇପିଏଲ୍ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଥିବା ରିଙ୍କୁ ସିଂଙ୍କୁ ମଧ୍ୟ ସାମିଲ କରାଯାଇଛି ।

ବୋଲରଙ୍କ ମଧ୍ୟରେ ଯୁବ ସ୍ପିନର ରବି ବିଷ୍ଣୋଇଙ୍କ ସହ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା, ମୁକେଶ କୁମାର, ଅବେଶ ଖାନଙ୍କୁ ଏହି ଦଳରେ ସାମିଲ କରାଯାଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ମନୋନୀତ ହୋଇଥିବା ବ୍ୟାଟ୍ସମ୍ୟାନ୍ ତିଳକ ବର୍ମା ମଧ୍ୟ ଆୟର୍ଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ:

ଯଶପ୍ରୀତ ବୁମରା (କ୍ୟାପଟେନ), ଋତୁରାଜ ଗାଏକୱାଡ (ଉପଅଧିନାୟକ), ଯଶସ୍ୱୀ ଜୈସୱାଲ, ତିଳକ ବର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ, ଜିତେଶ ଶର୍ମା, ଶିବମ ଦୁବେ, ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂ, ମୁକେଶ ସିଂ, ଆବେଶ ଖାନ।