ନ୍ୟୁଜିଲ୍ୟାଣ୍ଡରେ ହେଲା ବୁମରାଙ୍କ ପିଠି ଅସ୍ତ୍ରୋପଚାର, ୬ ମାସ ଆକ୍ସନରୁ ଦୂରରେ ରହିବେ | News Room Odisha

ନ୍ୟୁଜିଲ୍ୟାଣ୍ଡରେ ହେଲା ବୁମରାଙ୍କ ପିଠି ଅସ୍ତ୍ରୋପଚାର, ୬ ମାସ ଆକ୍ସନରୁ ଦୂରରେ ରହିବେ

ନୂଆଦିଲ୍ଲୀ: ଭାରତର ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ନେଇ ଏକ ବଡ଼ ଖବର ଆସିଛି । ବୁମରାଙ୍କ ପିଠି ଅସ୍ତ୍ରୋପଚାର ସଫଳ ହୋଇଛି। ନ୍ୟୁଜିଲ୍ୟାଣ୍ଡରେ ବୁମରାଙ୍କ ବ୍ୟାକ୍ ସର୍ଜରୀ ହୋଇଛି। ତେବେ ବୁମରା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପଡ଼ିଆକୁ ଫେରିବାକୁ ଅତି କମରେ ୬ ମାସ ସମୟ ଲାଗିପାରେ | ଏଭଳି ସ୍ଥିତିରେ ଚଳିତ ବର୍ଷ ଦିନିକିଆ ବିଶ୍ୱକପ ପୂର୍ବରୁ ବୁମରା ଆକ୍ସନକୁ ଫେରିବେ ବୋଲି ଆଶା କରାଯାଉଛି। ତେବେ ସେ ଜୁନରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ (ଯଦି ଭାରତ ଯୋଗ୍ୟତା ଅର୍ଜନ କରେ)ରୁ ବଞ୍ଚିତ ହୋଇପାରନ୍ତି ।

ପିଠି ସମସ୍ୟା ଯୋଗୁଁ ବୁମରା ଗତବର୍ଷ ସେପ୍ଟେମ୍ବର ପରଠୁ କ୍ରିକେଟରୁ ଦୂରରେ ଅଛନ୍ତି । ସେ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ସହ ଆଗାମୀ ଆଇପିଏଲ୍ ୨୦୨୩ରୁ ମଧ୍ୟ ବାଦ୍ ପଡିଛନ୍ତି। ଏବେ ତାଙ୍କ ଆଗରେ ବିଶ୍ୱକପ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ଅଛି | ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ୫୦ ଓଭର ବିଶ୍ୱକପ୍ ଆୟୋଜିତ ହେବ | ବୁମରାଙ୍କୁ ସମ୍ପୂର୍ଣ୍ଣ ଠିକ୍ ହେବା ପାଇଁ ୬ ମାସ ସମୟ ଆବଶ୍ୟକ ହେଉଥିବାରୁ ସେ ବିଶ୍ୱକପ ପାଇଁ ଉପଲବ୍ଧ ହେବେ ନା ନାହିଁ ଏବେ କହିବା ମୁସ୍କିଲ।

ଇଂଲଣ୍ଡର ଷ୍ଟାର ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ନ୍ୟୁଜିଲ୍ୟାଣ୍ଡର କିମ୍ବଦନ୍ତୀ ଫାଷ୍ଟ ବୋଲର ସେନ୍ ବଣ୍ଡଙ୍କୁ ଅସ୍ତ୍ରୋପଚାର କରିଥିବା ନ୍ୟୁଜିଲ୍ୟାଣ୍ଡର ଅର୍ଥୋପେଡିକ ସର୍ଜନ ବୁମରାଙ୍କ ସର୍ଜରି କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କୋଚ୍ ଥିବା ସେନ୍ ବଣ୍ଡ ହିଁ ବୁମରାଙ୍କ ସର୍ଜରି ପାଇଁ ଏହି ଡାକ୍ତରଙ୍କ ନାଁ ସୁପାରିସ କରିଥିଲେ ବୋଲି ଜଣାପଡ଼ିଛି।