ମମତା ସରକାରଙ୍କୁ ଝଟକା: 'ଦୁଆରେ ରାସନ' ଯୋଜନାକୁ ବେଆଇନ କହିଲେ ହାଇକୋର୍ଟ | News Room Odisha

ମମତା ସରକାରଙ୍କୁ ଝଟକା: ‘ଦୁଆରେ ରାସନ’ ଯୋଜନାକୁ ବେଆଇନ କହିଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ଲାଗିଛି ବଡ଼ ଝଟକା । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ମମତା ସରକାରଙ୍କ ‘ଦୁଆରେ ରାସନ’ ଯୋଜନାକୁ କଲିକତା ହାଇକୋର୍ଟ ବେଆଇନ ଘୋଷଣା କରିଛନ୍ତି। ଏକ ବର୍ଷ ପୂର୍ବେ ମମତା ବାନାର୍ଜୀ ଏହି ଯୋଜନାକୁ ଉଦଘାଟନ କରିଥିଲେ । ଏହି ଯୋଜନାରେ ରାସନ ସାମଗ୍ରୀ ହିତାଧିକାରୀଙ୍କୁ ସେମାନଙ୍କର ଘରେ ନେଇ ଦିଆଯାଉଥିଲା ।

ମମତା ସରକାର ଦାବି କରିଥିଲେ ଯେ ୧୦ କୋଟି ଲୋକ ଏହି ଯୋଜନାର ଲାଭ ପାଇବେ ଏବଂ ରାସନ ଦୋକାନ ଆଗରେ ଘଣ୍ଟା ଘଣ୍ଟା ଧରି ଆଉ ଛିଡା ହେବାକୁ ପଡ଼ିବ ନାହିଁ। ସେପ୍ଟେମ୍ବର ୧୧ ରେ ଏହି ମାମଲାର ଶୁଣାଣି ଶେଷ ହୋଇଥିଲା । ହାଇକୋର୍ଟ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଟିଏମସି ଏହି ଯୋଜନାକୁ ଏହାର ଘୋଷଣା ପତ୍ରରେ ସାମିଲ କରିଥିଲା। ତେବେ କିଛି ରାସନ ଡିଲର ଏହାକୁ ଆଇନ ବିରୁଦ୍ଧ ବୋଲି କହି କୋର୍ଟ ଯାଇଥିଲେ ।

ଡିଲରମାନେ ଅଭିଯୋଗ କରିଥିଲେ ଯେ ଏହି ଯୋଜନା ଆଇନ ବିରୁଦ୍ଧ। କାରଣ ଏହି ଯୋଜନା ପାଇଁ ରାଜ୍ୟରେ କୌଣସି ଭିତ୍ତିଭୂମି ଏବଂ ସୁବିଧା ନାହିଁ। ମମତା ସରକାରଙ୍କ ତରଫରୁ ଯୁକ୍ତି କରାଯାଇଥିଲା ଯେ ଡିଲରମାନଙ୍କୁ ଗାଡ଼ିରେ ରାସନ ସାମଗ୍ରୀ ନେଇ ଗୋଟିଏ ସ୍ଥାନରେ ଛିଡ଼ା କରିବାକୁ ପଡ଼ିବ । ୫୦୦ ମିଟର ବ୍ୟାସାର୍ଦ୍ଧରେ ଏହାକୁ ହିତାଧିକାରୀଙ୍କ ଘରେ ବିତରଣ କରିବାକୁ ପଡିବ। ଏଥିରେ ଡିଲର୍ ଯେଉଁ କର୍ମଚାରୀଙ୍କୁ ନିୟୋଜିତ କରିବେ ରାଜ୍ୟ ସରକାର ସେମାନଙ୍କ ଅଧା ଦରମା ଦେବେ।