ମମତାଙ୍କୁ ଆଶ୍ବସ୍ତି, ଭବାନୀପୁର ଉପନିର୍ବାଚନ ରଦ୍ଦ କରିବାକୁ ମନାକଲେ କଲିକତା ହାଇକୋର୍ଟ | News Room Odisha

ମମତାଙ୍କୁ ଆଶ୍ବସ୍ତି, ଭବାନୀପୁର ଉପନିର୍ବାଚନ ରଦ୍ଦ କରିବାକୁ ମନାକଲେ କଲିକତା ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନ ରଦ୍ଦ ହେବ ନାହିଁ । ଗୁରୁବାର ଦିନ ଏଠାରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମତଦାନ ଅନୁଷ୍ଠିତ ହେବ ବୋଲି କହିଛନ୍ତି କଲିକତା ହାଇକୋର୍ଟ । ଭବାନୀପୁର ଆସନରେ ଉପନିର୍ବାଚନ କରିବା ପାଇଁ ଏକ ‘ସାମ୍ବିଧାନିକ ଆବଶ୍ୟକତା’ ବୋଲି ନିର୍ବାଚନ ଆୟୋଗଙ୍କ ଯୁକ୍ତିକୁ ଚ୍ୟାଲେଞ୍ଜ କରି ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। ଏହାକୁ ଖାରଜ କରିଛନ୍ତି ହାଇକୋର୍ଟ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଭବାନୀପୁରରୁ ଉପନିର୍ବାଚନ ଲଢ଼ୁଛନ୍ତି ।

ମମତା ଭବାନୀପୁରରୁ ୨୦୧୧ ଓ ୨୦୧୬ରେ ନିର୍ବାଚିତ ହୋଇଥିଲେ । ତେବେ ଏଥର ବିଧାନସଭା ନିର୍ବାଚନରେ ସେ ଭବାନୀପୁର ପରିବର୍ତ୍ତେ ନନ୍ଦିଗ୍ରାମରୁ ଲଢ଼ିଥିଲେ । ନନ୍ଦିଗ୍ରାମରେ ସେ ତାଙ୍କର ଏକଦା ଘନିଷ୍ଠ ସହଯୋଗୀ ଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଯାଇଥିଲେ । ଏଥର ଭବାନୀପୁରରେ ତୃଣମୂଳ କଂଗ୍ରେସ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ପ୍ରାର୍ଥୀ କରିଥିଲା ଏବଂ ସେ ମଧ୍ୟ ବିଜୟୀ ହୋଇଥିଲେ । ତେବେ ଶୋଭନଦେବ ଭବାନୀପୁର ବିଧାୟକ ପଦରୁ ଇସ୍ତଫା ଦେଇ ମମତାଙ୍କ ପାଇଁ ଏହି ଆସନ ଛାଡ଼ି ଦେଇଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ମମତା ବାନାର୍ଜୀଙ୍କୁ ଟକ୍କର ଦେବେ ଭାରତୀୟ ଜନତା ପାର୍ଟି (ବିଜେପି)ର ଯୁବ ନେତ୍ରୀ ପ୍ରିୟଙ୍କା ଟିବ୍ରେଓ୍ବାଲ୍ । ଟିବ୍ରେଓ୍ବାଲ୍ କଲିକତା ହାଇକୋର୍ଟର ଜଣେ ଓକିଲ।

ରାଜ୍ୟସଭା ନିର୍ବାଚନରେ ​​ବିପୁଳ ବିଜୟ ପରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମମତା ବାନାର୍ଜୀଙ୍କୁ ପଦ ବଜାୟ ରଖିବାକୁ ହେଲେ ଭବନୀପୁର ଉପନିର୍ବାଚନରେ ​​ଜିତିବାକୁ ପଡ଼ିବ। ଅକ୍ଟୋବର ୩ରେ ଉପନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ସାମ୍ବିଧାନିକ ନିୟମ ଅନୁଯାୟୀ ମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ଯେକୌଣସି ବ୍ୟକ୍ତି ବିଧାନସଭା କିମ୍ବା ବିଧାନ ପରିଷଦକୁ ନିର୍ବାଚିତ ହେବା ବାଧ୍ୟତାମୂଳକ ।