ଟିଏମସିକୁ ଝଟକା, ବିଜେପି ନେତାଙ୍କ ଘର ଘେରାଉ କାର୍ଯ୍ୟକ୍ରମ ଉପରେ ହାଇକୋର୍ଟଙ୍କ ରୋକ୍ | News Room Odisha

ଟିଏମସିକୁ ଝଟକା, ବିଜେପି ନେତାଙ୍କ ଘର ଘେରାଉ କାର୍ଯ୍ୟକ୍ରମ ଉପରେ ହାଇକୋର୍ଟଙ୍କ ରୋକ୍

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ(ଟିଏମସି)ର ଜାତୀୟ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ କଲିକତା ହାଇକୋର୍ଟରୁ ଲାଗିଛି ବଡ଼ ଝଟକା । ଅଗଷ୍ଟ ୧ରେ ବିଜେପି ନେତାଙ୍କ ଘର ଘେରାଉ ନେଇ ଟିଏମସିର କାର୍ଯ୍ୟକ୍ରମ ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି । ଜୁଲାଇ ୨୧ରେ କଲିକତାରେ ଶହୀଦ ଦିବସ ଅବସରରେ ଅଭିଷେକ ବାନାର୍ଜୀ ଦଳୀୟ କର୍ମୀଙ୍କୁ ଅଗଷ୍ଟ ୫ରେ ବିଜେପି ନେତାଙ୍କ ଘର ଘେରାଉ କରିବାକୁ ଆହ୍ବାନ କରିଥିଲେ। ତେବେ ଟିଏମସିର ଏହି ଯୋଜନା ଜନସାଧାରଣଙ୍କ ସ୍ୱାର୍ଥ ବିରୁଦ୍ଧ ବୋଲି କହି ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍ ଶିବାଗଣନମ୍ ଏହା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ।

ଅଭିଷେକ ବାନାର୍ଜୀ ଅଗଷ୍ଟ ୫ରେ ସମସ୍ତ ବିଜେପି ନେତାଙ୍କ ଘର ଘେରାଉ ପାଇଁ ଘୋଷଣା କରିବା ପାଇଁ ଏହା ବିରୋଧରେ ବିଜେପି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ମୁଖ୍ୟ ବିଚାରପତି କହିଛନ୍ତି ଯେ ‘ଏହି କାର୍ଯ୍ୟକ୍ରମ ଜନସାଧାରଣଙ୍କ ସ୍ୱାର୍ଥ ବିରୁଦ୍ଧ ଅଟେ। ଅଭିଷେକ ବାନାର୍ଜୀଙ୍କ ବୟାନ ପରିପ୍ରେକ୍ଷୀରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ମଧ୍ୟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି। ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଯେ ଯଦି କେହି ଆସନ୍ତାକାଲି ହାଇକୋର୍ଟ ଘେରିବାକୁ କୁହନ୍ତି ତେବେ କ’ଣ ରାଜ୍ୟ ସରକାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ ?