'ଅଗ୍ନିପଥ' ଯୋଜନାକୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ବି ବିରୋଧ, କହିଲେ ଏହି ଯୋଜନା କାମ କରିବନି | News Room Odisha

‘ଅଗ୍ନିପଥ’ ଯୋଜନାକୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ବି ବିରୋଧ, କହିଲେ ଏହି ଯୋଜନା କାମ କରିବନି

ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀରେ ‘ଅଗ୍ନିପଥ’ ଯୋଜନା ଅଧୀନରେ ନିଯୁକ୍ତି ବିରୋଧରେ ଦେଶର ବିଭିନ୍ନ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି । କିଛି ସେନାଧିକାରୀ ମଧ୍ୟ ଏହି ଯୋଜନାର ସଫଳତା ନେଇ ସନ୍ଦିହାନ ଅଛନ୍ତି । ଅଗ୍ନିପଥ ଯୋଜନାକୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ବିରୋଧ କରିଛନ୍ତି । ଚାରି ବର୍ଷ ଧରି ନିଯୁକ୍ତିକୁ ବିରୋଧ କରି ଅମରିନ୍ଦର ସିଂ ଏହାର କାରଣ ମଧ୍ୟ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଚାରି ବର୍ଷର ଅବଧି ବହୁତ କମ୍ | ଏହି ବ୍ୟବସ୍ଥା ସେନା ପାଇଁ କାମ କରିବ ନାହିଁ ବୋଲି ଅମରିନ୍ଦର କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜନେତା ହେବା ପୂର୍ବରୁ ଅମରିନ୍ଦର ସିଂ ୧୯୬୩ ରୁ ୧୯୬୬ ମଧ୍ୟରେ ସେନା କର୍ମଚାରୀ ଥିଲେ।

କ୍ୟାପଟେନ୍ ଅମରିନ୍ଦର ସିଂ କହିଛନ୍ତି ଯେ ଜଣେ ସୈନିକଙ୍କ ପାଇଁ ଚାରି ବର୍ଷର ସେବା ବହୁତ କମ୍। ଦୀର୍ଘ ଦିନ ଧରି ଚାଲି ଆସୁଥିବା ନିଯୁକ୍ତି ନୀତିରେ ପରିବର୍ତ୍ତନ ଆଣିବାକୁ ସରକାରଙ୍କ ନିଷ୍ପତ୍ତିରେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଚାରି ବର୍ଷର ପାଇଁ ସୈନିକ ନିଯୁକ୍ତି ସେନା ପାଇଁ ଭଲ ନୁହେଁ ବୋଲି ସେ କହିଛନ୍ତି।

କ୍ୟାପଟେନ ସିଂ ସମଗ୍ର ଭାରତରୁ ସେନାବାହିନୀରେ ସମସ୍ତ ବର୍ଗରୁ ନିଯୁକ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଶିଖ ରେଜିମେଣ୍ଟ, ଡୋଗ୍ରା ରେଜିମେଣ୍ଟ, ମାଡ୍ରାସ ରେଜିମେଣ୍ଟ ଇତ୍ୟାଦି ସେମାନଙ୍କର ନିଜ ନିଜର ସ୍ବାତନ୍ତ୍ର୍ୟ ରହିଛି, ଯାହା ସେନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ଅଣଦେଖା କରାଯାଇଛି। ସିଂ କହିଛନ୍ତି ଯେ ବର୍ଷ ବର୍ଷ ଧରି ଚାଲିଥିବା ବ୍ୟବସ୍ଥା ସେନା ପାଇଁ ଭଲ କାମ କରିଛି। ଏଥିରେ ପରିବର୍ତ୍ତନ କରାଯିବାର କୌଣସି ଆବଶ୍ୟକତା ନାହିଁ।

କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ଠାରୁ ଅଲଗା ହେବା ପରେ ପଞ୍ଜାବ ଲୋକ କଂଗ୍ରେସ ନାମରେ ନିଜର ଏକ ଦଳ ଗଠନ କରିଛନ୍ତି। ଚଳିତ ବର୍ଷ ଆରମ୍ଭରେ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ​​ମଧ୍ୟ ସେ ବିଜେପି ସହିତ ମେଣ୍ଟ କରି ବିବାଦ ଭିତରକୁ ଆସିଥିଲେ । କିନ୍ତୁ ଅଧିକ ସଫଳତା ହାସଲ କରିପାରି ନଥିଲେ। ସେ ମଧ୍ୟ ନିର୍ବାଚନ ହାରିଯାଇଥିଲେ ।