ହକି ଇଣ୍ଡିଆ ପାଣ୍ଠିର ଦୁରୁପଯୋଗ ଅଭିଯୋଗରେ ନରିନ୍ଦର ବାତ୍ରାଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା ସିବିଆଇ | News Room Odisha

ହକି ଇଣ୍ଡିଆ ପାଣ୍ଠିର ଦୁରୁପଯୋଗ ଅଭିଯୋଗରେ ନରିନ୍ଦର ବାତ୍ରାଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: ହକି ଇଣ୍ଡିଆର ପାଣ୍ଠିରୁ ୩୫ ଲକ୍ଷ ଟଙ୍କାର ଦୁରୁପଯୋଗ ଅଭିଯୋଗରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ର ସଭାପତି ନରିନ୍ଦର ବାତ୍ରାଙ୍କ ବିରୋଧରେ ସିବିଆଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ବୁଧବାର ଏହି ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ ବାତ୍ରାଙ୍କ ବିରୋଧରେ ସିବିଆଇରେ ଅଭିଯୋଗ ହୋଇଥିଲା । ଏହା ଆଧାରରେ ତାଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି।

ସିବିଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବାତ୍ରାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ ହକି ଇଣ୍ଡିଆ ପାଣ୍ଠିରୁ ୩୫ ଲକ୍ଷ ଟଙ୍କା ସେ ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚରେ ଲଗାଇଥିଲେ। ନିକଟରେ ବାତ୍ରା ଓ ହକି ଇଣ୍ଡିଆ ମଧ୍ୟରେ ମତଭେଦ ସାମ୍ନାକୁ ଆସିଥିଲା ଯେତେବେଳେ ସେ ଏଫ୍ଆଇଏଚ୍ ପ୍ରୋ ଲିଗରେ ଭାରତୀୟ ହକି ଦଳର ପ୍ରଦର୍ଶନ ଉପରେ ପ୍ରଶ୍ନ କରିଥିଲେ।

ପରବର୍ତ୍ତୀ ସମୟରେ ଅଲିମ୍ପିଆନ୍ ତଥା ୧୯୭୫ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ଅସଲମ ଶେର୍ ଖାନ୍ ହକି ଇଣ୍ଡିଆ ବ୍ୟାପାରରେ ବାତ୍ରାଙ୍କ ହସ୍ତକ୍ଷେପ ଉପରେ ପ୍ରଶ୍ନ କରିଥିଲେ। ଅସଲମ କହିଥିଲେ ଯେ ହକି ଇଣ୍ଡିଆ କାର୍ଯ୍ୟରେ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫ୍ଆଇଏଚ୍) ମୁଖ୍ୟ ବାତ୍ରାଙ୍କ ହସ୍ତକ୍ଷେପ ଏକ ସ୍ୱାର୍ଥର ଦ୍ୱନ୍ଦ୍ୱ ମାମଲା ।

ବାତ୍ରାଙ୍କୁ ‘ଆଜୀବନ ସଦସ୍ୟ’ କରିବା ସହିତ ହକି ଇଣ୍ଡିଆରେ କିଛି ଅନିୟମିତ ନିଯୁକ୍ତିକୁ ଅସଲମ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଅସଲମ କହିଛନ୍ତି, ହକି ଇଣ୍ଡିଆ ବ୍ୟାପାରରେ ହସ୍ତକ୍ଷେପ ବତ୍ରାଙ୍କ ସ୍ୱାର୍ଥର ଦ୍ୱନ୍ଦ୍ୱ। ସେ ହେଉଛନ୍ତି ଏଫ୍ଆଇଏଚ୍ ସଭାପତି ଏବଂ ସେହି ପଦବୀରେ ଥିବାବେଳେ ସେ ଜାତୀୟ ଫେଡେରେସନ୍ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ। “