ଶାହରୁଖ ଖାନଙ୍କ ପୁଅକୁ ନ‌ ଫସାଇବା ପାଇଁ ୨୫ କୋଟି ଲାଞ୍ଚ ଦାବି କରିଥିଲେ ସମୀର ଓ୍ବାଙ୍ଖେଡେ, ମାମଲା ରୁଜୁ କଲା ସିବିଆଇ | News Room Odisha

ଶାହରୁଖ ଖାନଙ୍କ ପୁଅକୁ ନ‌ ଫସାଇବା ପାଇଁ ୨୫ କୋଟି ଲାଞ୍ଚ ଦାବି କରିଥିଲେ ସମୀର ଓ୍ବାଙ୍ଖେଡେ, ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଏକ କ୍ରୁଜ୍ ଜାହାଜରୁ ଡ୍ରଗ୍ସ ଜବତ ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ନ ଫସାଇବା ପାଇଁ ୨୫ କୋଟି ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ସିବିଆଇ ପୂର୍ବତନ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ଓ୍ବାଙ୍ଖେଡେ ଏବଂ ଅନ୍ୟ ଚାରିଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଓ୍ବାଙ୍ଖେଡେଙ୍କ ଘରେ ମଧ୍ୟ ତଲାସି କରିଛି ସିବିଆଇ। ଡ୍ରଗ୍ସ ଜବତ ମାମଲାରେ ଅକ୍ଟୋବର ୨, ୨୦୨୧ରେ ଆର୍ୟନ ଖାନଙ୍କୁ ଗିରଫ କରାଯାଇଥିଲା।

ପରବର୍ତ୍ତୀ ସମୟରେ ଏନସିବି ଏହି ମାମଲାରେ ଆର୍ୟନ ଖାନଙ୍କୁ ‘କ୍ଲିନ୍ ଚିଟ୍’ ଦେଇଥିଲା। ଏନସିବି ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଦାବି କରିଥିଲା ଯେ ୱାଙ୍ଖେଡେଙ୍କ ନେତୃତ୍ୱାଧୀନ ତଦନ୍ତରେ ତ୍ରୁଟି ରହିଥିଲା।

ମୁମ୍ବାଇ, ଦିଲ୍ଲୀ, ରାଞ୍ଚି ଏବଂ କାନପୁରର ୨୯ଟି ସ୍ଥାନରେ ସର୍ଚ୍ଚ ସିବିଆଇ ରେଡ୍ କରିଛି ।

ବର୍ତ୍ତମାନ ଆଇଆରଏସ ଅଧିକାରୀ ଥିବା ୱାଙ୍ଖେଡେ ଏବଂ ଅନ୍ୟମାନେ ଆର୍ୟନ ଖାନଙ୍କୁ ଡ୍ରଗ୍ସ ମାମଲାରେ ନ ଫସାଇବା ପାଇଁ ୨୫ କୋଟି ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା ।

ଆର୍ୟନ ଖାନ ମାମଲାରେ ଓ୍ବାଙ୍ଖେଡେ ଏବଂ ତାଙ୍କ ସହଯୋଗୀ ଅଗ୍ରୀମ ଭାବେ ୫୦ ଲକ୍ଷ ଟଙ୍କା ନେଇଥିଲେ ବୋଲି ସିବିଆଇ ଜାଣିବାକୁ ପାଇଛି ।

ଆର୍ୟନ ଖାନ ଗିରଫ ହେବା ସମୟରେ ୱାଙ୍ଖେଡେ ମୁମ୍ବାଇ ଜୋନର ଏନସିବି ମୁଖ୍ୟ ଥିଲେ। ତାଙ୍କୁ ଗତ ବର୍ଷ ମେ ମାସରେ ଚେନ୍ନାଇର କରଦାତା ସେବା ନିର୍ଦ୍ଦେଶାଳୟକୁ ବଦଳି କରାଯାଇଥିଲା ।‌