ସିସୋଦିଆଙ୍କୁ ପାଞ୍ଚ ଦିନ ସିବିଆଇ ରିମାଣ୍ଡ | News Room Odisha

ସିସୋଦିଆଙ୍କୁ ପାଞ୍ଚ ଦିନ ସିବିଆଇ ରିମାଣ୍ଡ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୋମବାର ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ପାଞ୍ଚ ଦିନ ତଥା ମାର୍ଚ୍ଚ ୪ ପର୍ଯ୍ୟନ୍ତ ସିବିଆଇ ହାଜତକୁ ପଠାଇଛନ୍ତି । ସିସୋଦିଆଙ୍କୁ ଆଜି କୋର୍ଟରେ ହାଜର କରିବା ପରେ ସିବିଆଇ ତାଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ​​ଯାହା କୋର୍ଟ ଗ୍ରହଣ କରିଥିଲେ।

ସିବିଆଇ ଯୁକ୍ତି କରିଥିଲା ଯେ ସିସୋଦିଆଙ୍କ ନିର୍ଦ୍ଦେଶରେ ହିଁ ଅବକାରୀ କମିଶନ ୫ କୋଟିରୁ ୧୨ କୋଟି ଟଙ୍କା ବୃଦ୍ଧି କରାଯାଇଥିଲା । ତେଣୁ ପଚରାଉଚରା ପାଇଁ ତାଙ୍କ ରିମାଣ୍ଡ ଆବଶ୍ୟକ | ତେବେ ସିସୋଦିଆଙ୍କ ରିମାଣ୍ଡ ପାଇଁ ସିବିଆଇ ଆବେଦନକୁ ତାଙ୍କ ଓକିଲ ବିରୋଧ କରିଥିଲେ। ତାଙ୍କୁ ରିମାଣ୍ଡରେ ନେବାକୁ କୌଣସି କାରଣ ନାହିଁ । ତଦନ୍ତରେ ସହଯୋଗ କରୁନଥିବା ସିବିଆଇର ଅଭିଯୋଗ ଭିତ୍ତିହୀନ ବୋଲି ସିସୋଦିଆଙ୍କ ଓକିଲ କହିଥିଲେ। ସିସୋଦିଆଙ୍କ ଓକିଲ କହିଥିଲେ ଯେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଅନୁମୋଦନ ପରେ ଅବକାରୀ କମିଶନ ବୃଦ୍ଧି କରାଯାଇଥିଲା । ଉପରାଜ୍ୟପାଳଙ୍କ ଅବଗତରେ ସବୁକିଛି ହୋଇଥିଲା | ଅବକାରୀ ନୀତିରେ ସ୍ୱଚ୍ଛତା ଅବଲମ୍ବନ କରାଯାଇଥିଲା ବୋଲି ସେ ଦାବି କରିଥିଲେ ।