ଆସ୍ଥା ଭୋଟ୍ ପୂର୍ବରୁ ଆରଜେଡି ନେତାଙ୍କ ଘରେ ସିବିଆଇ ଚଢ଼ାଉ | News Room Odisha

ଆସ୍ଥା ଭୋଟ୍ ପୂର୍ବରୁ ଆରଜେଡି ନେତାଙ୍କ ଘରେ ସିବିଆଇ ଚଢ଼ାଉ

ପାଟଣା: ସିବିଆଇ ବୁଧବାର ଆରଜେଡିର ଦୁଇ ବରିଷ୍ଠ ନେତା ସାଂସଦ ଅଶଫାକ କରିମ ଏବଂ ଏମଏଲସି ସୁନୀଲ ସିଂଙ୍କ ବାସଭବନରେ ଚଢାଉ କରିଛି। ଜମି ବଦଳରେ ଚାକିରି ସହ ଜଡିତ ଘୋଟାଲା ପରିପ୍ରେକ୍ଷୀରେ ଏହି ଚଢ଼ାଉ ହୋଇଥିବା କୁହାଯାଉଛି ।

ଆଜି ବିଧାନସଭାରେ ନୀତୀଶ କୁମାରଙ୍କ ନେତୃତ୍ଵାଧୀନ ଜେଡିୟୁ-ଆରଜେଡିର ନୂଆ ମେଣ୍ଟ ସରକାର ବହୁମତ ସାବ୍ୟସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଆରଜେଡି ନେତାଙ୍କ ଘରେ ସିବିଆଇ ପଶିଛି ।

ଆରଜେଡି ଏମଏଲସି ସୁନୀଲ ସିଂ ଏହାକୁ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସୁନୀଲ ସିଂହଙ୍କୁ ଲାଲୁ ଯାଦବଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ।

ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ରେଳ ବିଭାଗରେ ଲୋକଙ୍କୁ ଚାକିରୀ ଦେବା ବଦଳରେ ତାଙ୍କଠାରୁ ଜମି ନିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା ।

ସୁନୀଲ ସିଂହ କହିଛନ୍ତି, “ଏହା (ଚଢ଼ାଉ) ଉଦ୍ଦେଶ୍ୟମୂଳକ ଭାବେ କରାଯାଉଛି। ଏହାର କୌଣସି ଯଥାର୍ଥତା ନାହିଁ। ସେମାନେ ଭାବୁଛନ୍ତି ଯେ ଏପରି କଲେ ବିଧାୟକମାନେ ଭୟରେ ସେମାନଙ୍କ ସପକ୍ଷରେ ଆସିବେ।”