ତଦନ୍ତ ଅଧିକାରୀଙ୍କୁ ଧମକାଇବା ଅଭିଯୋଗ: ତେଜସ୍ୱୀ ଯାଦବଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇର ଆବେଦନ | News Room Odisha

ତଦନ୍ତ ଅଧିକାରୀଙ୍କୁ ଧମକାଇବା ଅଭିଯୋଗ: ତେଜସ୍ୱୀ ଯାଦବଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇର ଆବେଦନ

ନୂଆଦିଲ୍ଲୀ: ଆଇଆରସିଟିସି ଦୁର୍ନୀତି ମାମଲାରେ ତେଜସ୍ୱୀ ଯାଦବଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ ସିବିଆଇ ଅଧିକାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ସିବିଆଇ କହିଛି ଯେ ତେଜସ୍ୱୀ ଯାଦବଙ୍କ ଜାମିନ ରଦ୍ଦ କରାଯାଉ କାରଣ ସେ ଜାମିନ ସର୍ତ୍ତାବଳୀ ଉଲ୍ଲଂଘନ କରିଛନ୍ତି। ସିବିଆଇର ଏହି ଆବେଦନ ଉପରେ କୋର୍ଟ ତେଜସ୍ୱୀ ଯାଦବଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ।

ଅଗଷ୍ଟ ୨୫ରେ ଏକ ସାମ୍ବାଦିକ ସମ୍ମିଳନୀରେ ତେଜସ୍ୱୀ ଯାଦବ କହିଥିଲେ, “ସିବିଆଇ ଅଧିକାରୀଙ୍କ କ’ଣ ମା ଓ ପିଲା ନାହାଁନ୍ତି ନା ସେମାନଙ୍କର ପରିବାର ନାହିଁ, ସେମାନେ କ’ଣ ସର୍ବଦା ସିବିଆଇ ଅଧିକାରୀ ରହିବେ.. ଅବସର ନେବେ ନାହିଁ ।” ସିବିଆଇ କ’ଣ ବାର୍ତ୍ତା ଦେବାକୁ ଚାହୁଁଛି? ଏକ ସାମ୍ବିଧାନିକ ସଂସ୍ଥାର ଯାହା ସବୁ କର୍ତ୍ତବ୍ୟ ରହିଛି ତାହା ସିବିଆଇ ସଠିକ୍ ଭାବେ ପାଳନ କରିବା ଉଚିତ। ”

ଜାମିନ ରଦ୍ଦ ପାଇଁ ଆବେଦନ କରି ସିବିଆଇ ଅଭିଯୋଗ କରିଛି ଯେ ତେଜସ୍ୱୀ ଯାଦବ ସିବିଆଇ ଅଧିକାରୀଙ୍କୁ ଧମକ ଦେଇ‌‌ ମାମଲାକୁ ପ୍ରଭାବିତ କରିଛନ୍ତି । ଏଥିସହ ସେ ଜାମିନ ସର୍ତ୍ତାବଳୀ ଉଲ୍ଲଂଘନ କରିଛନ୍ତି |