ମଣିପୁର ଭାଇରାଲ ଭିଡ଼ିଓ ଘଟଣାର ତଦନ୍ତ ଆରମ୍ଭ କଲା ସିବିଆଇ | News Room Odisha

ମଣିପୁର ଭାଇରାଲ ଭିଡ଼ିଓ ଘଟଣାର ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: ମଣିପୁରର ଦୁଇ ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇବା ଓ ଗଣବଳାତ୍କାର ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା ।

ସୂଚନା ଅନୁସାରେ ଭାଇରାଲ ଭିଡ଼ିଓ ଘଟଣାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମଣିପୁର ପୋଲିସ ରୁଜୁ କରିଥିବା ଏଫ୍ଆଇଆର୍ ସିବିଆଇକୁ ହସ୍ତାନ୍ତର କରାଯାଇଛି।

ଗତ ଅଢ଼େଇ ମାସ ଧରି ମଣିପୁରର ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ମଧ୍ୟରେ ଜୁଲାଇ ୧୯ରେ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା। ଏହି ଭିଡ଼ିଓରେ କିଛି ଲୋକ ଦୁଇ ମହିଳାଙ୍କୁ ଉଲଗ୍ନ କରି ସେମାନଙ୍କୁ ସର୍ବସାଧାରଣରେ ଚଲାଇ ଚଲାଇ ନେଉଥିବା ଦେଖିବାକୁ ମିଳିଥିଲା ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ‌ । କେନ୍ଦ୍ର ସରକାରଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ ବିରୋଧୀ ‌। ଚାପରେ ଆସି ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥରମଣିପୁର ହିଂସା ଉପରେ ମୁହଁ ଖୋଲିଥିଲେ ।

ଜୁଲାଇ ୨୦ରେ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମକୁ କହିଥିଲେ ମଣିପୁରରେ ଘଟିଥିବା ଏହି ଘଟଣା ତାଙ୍କୁ ବାଧିଛି । ଏହା ସମଗ୍ର ଦେଶକୁ ଲଜ୍ଜିତ କରିଛି । ଯିଏ ବି ଏହି ଘଟଣାରେ ସମ୍ପୃକ୍ତ ସେମାନଙ୍କୁ ଛଡ଼ାଯିବ ନାହିଁ ।

ମଣିପୁର ପୋଲିସ କହିଥିଲା ଯେ ଉକ୍ତ ଭାଇରାଲ ଭିଡ଼ିଓ ଘଟଣା ମେ ୪ ତାରିଖରେ ଘଟିଥିଲା ‌ । ସେହି ଦିନ ମଣିପୁରର ଥୋବାଲ ଜିଲ୍ଲାରେ ମୈତେଇ ସମ୍ପ୍ରଦାୟର ଲୋକେ କୁକି ସମ୍ପ୍ରଦାୟର ଦୁଇ ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇବା ସହ ଯୌନ ନିର୍ଯାତନା ଦେଇଥିଲେ ।

ସୁପ୍ରିମକୋର୍ଟ ମଧ୍ୟ ଏହି ଘଟଣାରେ ଚିନ୍ତା ପ୍ରକଟ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ମେ ମାସରୁ ମଣିପୁର ଜାତିଗତ ହିଂସାରେ ଜଳୁଛି। ହିଂସାରେ ଏପର୍ଯ୍ୟନ୍ତ ଅତି କମରେ ୧୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ହଜାରରୁ ଅଧିକ ଲୋକ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।