ମଣିପୁର ହିଂସାର ତଦନ୍ତ କରିବ ସିବିଆଇ, ଅମିତ ଶାହା କହିଲେ ହାଇକୋର୍ଟଙ୍କ ତରବରିଆ ରାୟ ଯୋଗୁଁ ମାହୋଲ ବିଗିଡ଼ିଲା | News Room Odisha

ମଣିପୁର ହିଂସାର ତଦନ୍ତ କରିବ ସିବିଆଇ, ଅମିତ ଶାହା କହିଲେ ହାଇକୋର୍ଟଙ୍କ ତରବରିଆ ରାୟ ଯୋଗୁଁ ମାହୋଲ ବିଗିଡ଼ିଲା

ଇମ୍ଫାଲ: ମଣିପୁରରେ ହିଂସା ସହ ଜଡ଼ିତ କିଛି ମାମଲାର ତଦନ୍ତ ସିବିଆଇ କରିବ । ମଣିପୁର ସ୍ଥିତି ନେଇ ଏକ ସମୀକ୍ଷା ବୈଠକ କରିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଏହି ସୂଚନା ଦେଇଛନ୍ତି । ଶାହା କହିଛନ୍ତି ଯେ ଏପ୍ରିଲ ୨୯ରେ ମଣିପୁର ହାଇକୋର୍ଟଙ୍କ ତରବରିଆ ରାୟ ଯୋଗୁଁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାର ସୂତ୍ରପାତ ହୋଇଥିଲା ।

ଶାହା କହିଛନ୍ତି, ହିଂସା ଘଟଣାର ତଦନ୍ତ ପାଇଁ ଅବସରପ୍ରାପ୍ତ ହାଇକୋର୍ଟର ବିଚାରପତିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏକ ନ୍ୟାୟିକ କମିଶନ ଗଠନ କରିଛନ୍ତି। ମଣିପୁରର ରାଜ୍ୟପାଳ ନାଗରିକ ସମାଜର ସଦସ୍ୟମାନଙ୍କ ସହିତ ଶାନ୍ତି କମିଟିର ନେତୃତ୍ୱ ନେବେ। ଏହା ସହ ସିବିଆଇ ମଧ୍ୟ କେତେକ ମାମଲାର ତଦନ୍ତ କରିବ ବୋଲି ସେ କହିଛନ୍ତି।

ଶାହା କହିଛନ୍ତି, ଗତ ଏକ ମାସ ମଧ୍ୟରେ ମଣିପୁରରେ କିଛି ହିଂସା ଘଟଣା ସାମ୍ନାକୁ ଆସିଛି। ହିଂସା ଘଟଣାରେ ନିକଟ ତଥା ପ୍ରିୟଜନଙ୍କୁ ହରାଇଥିବା ପରିବାରଙ୍କୁ ମୋର ସମବେଦନା। ସେ କହିଛନ୍ତି ଯେ ମୁଁ ଗତ ୩ ଦିନ ମଧ୍ୟରେ ଇମ୍ଫାଲ, ମୋରେହ ଏବଂ ଚୁରାଚାନ୍ଦପୁର ସମେତ ମଣିପୁରର ଅନେକ ସ୍ଥାନ ପରିଦର୍ଶନ କରି ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଅଧିକାରୀଙ୍କ ସହ ଆଲୋଚନା କରିଛି।

ଶାହ ମଧ୍ୟ ଘୋଷଣା କରିଛନ୍ତି ଯେ ମଣିପୁର ସରକାର ମୃତକଙ୍କ ସମ୍ପର୍କୀୟଙ୍କୁ ଡିବିଟି ମାଧ୍ୟମରେ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବେ। କେନ୍ଦ୍ର ସରକାର ମଧ୍ୟ ମୃତକଙ୍କ ସମ୍ପର୍କୀୟଙ୍କୁ ଡିବିଟି ମାଧ୍ୟମରେ ଆଉ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ।

ଶାହା କହିଛନ୍ତି ଯେ ମଣିପୁରରେ ହିଂସା ଘଟଣାର ତଦନ୍ତ ପାଇଁ ଅନେକ ଏଜେନ୍ସି କାର୍ଯ୍ୟ କରୁଛନ୍ତି। ଷଡଯନ୍ତ୍ରକୁ ନେଇ ୬ଟି ହିଂସା ଘଟଣାର ଉଚ୍ଚ ସ୍ତରୀୟ ସିବିଆଇ ତଦନ୍ତ ହେବ। ନିରପେକ୍ଷ ଯାଞ୍ଚ୍ ହେବ ଏବଂ ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ଶାହା କହିଛନ୍ତି ।