ଲାଲୁଙ୍କ ବିରୋଧରେ ରେଳ ପ୍ରକଳ୍ପ ଦୁର୍ନୀତି ମାମଲା ପୁଣି ଖୋଲିଲା ସିବିଆଇ | News Room Odisha

ଲାଲୁଙ୍କ ବିରୋଧରେ ରେଳ ପ୍ରକଳ୍ପ ଦୁର୍ନୀତି ମାମଲା ପୁଣି ଖୋଲିଲା ସିବିଆଇ

ନୂଆଦିଲ୍ଲୀ: କିଡନୀ ପ୍ରତିରୋପଣ ପରେ ସୁସ୍ଥ ହୋଇ ଫେରିଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଟେନସନ୍ ପୁଣି ବଢ଼ିପାରେ । ସିବିଆଇ ତାଙ୍କ ବିରୋଧରେ ରେଳ ପ୍ରକଳ୍ପ ଆବଣ୍ଟନ ସହ ଜଡ଼ିତ ଦୁର୍ନୀତି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି ।

ଲାଲୁ ୟୁପିଏର ପ୍ରଥମ କାର୍ଯ୍ୟକାଳରେ ରେଳମନ୍ତ୍ରୀ ଥିବା ବେଳେ ରେଳ ପ୍ରକଳ୍ପ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆସିଥିଲା। ସିବିଆଇ ୨୦୧୮ରେ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତେବେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ସିବିଆଇ ମେ ୨୦୨୧ରେ ଏହାର ଯାଞ୍ଚ୍ ବନ୍ଦ କରିଦେଇଥିଲା ।

ଲାଲୁ ଯାଦବଙ୍କ ବ୍ୟତୀତ ତାଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଝିଅ ଚନ୍ଦା ଯାଦବ ଏବଂ ରାଗିଣୀ ଯାଦବଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ କରାଯାଇଛି। ନୀତୀଶ କୁମାର ପଟ ପରିବର୍ତ୍ତନ କରିବାର କିଛି ମାସ ପରେ ସିବିଆଇ ଏହି ମାମଲା ପୁଣି ଖୋଲିବାକୁ ନିଷ୍ପତ୍ତି ନେଇଛି। ନୀତୀଶ କୁମାର ବିଜେପି ସହ ସମ୍ପର୍କ ଛିନ୍ନ କରି ପୁଣି ଆରଜେଡି ସହିତ ହାତ ମିଳାଇଥିଲେ । ତେବେ ସିବିଆଇର ନିଷ୍ପତ୍ତି ଦ୍ବାରା ବିହାର ରାଜନୀତିରେ ଝଡ଼ ସୃଷ୍ଟି ହେବା ସମ୍ଭାବନା ରହିଛି । ବିଜେପି କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର ଅଯଥା ଦୁରୁପଯୋଗ କରୁଛି ବୋଲି ଆରଜେଡି ଅଭିଯୋଗ କରିଆସିଛି।

ରେଳମନ୍ତ୍ରୀ ଥିବା ବେଳେ ଲାଲୁ ଯାଦବଙ୍କୁ ଡିଏଲ୍ଏଫ୍ ଗ୍ରୁପ୍ ତରଫରୁ ଲାଞ୍ଚ ଭାବେ ଦକ୍ଷିଣ ଦିଲ୍ଲୀରେ ଏକ ସମ୍ପତ୍ତି ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଡିଏଲ୍ଏଫ୍ ପକ୍ଷରୁ ଲାଲୁଙ୍କୁ ଏହି ଲାଞ୍ଚ ମୁମ୍ବାଇର ବାନ୍ଦ୍ରାରେ କମ୍ପାନୀକୁ ମିଳିଥିବା ରେଳ ଜମି ଲିଜ୍ ପ୍ରକଳ୍ପ ଏବଂ ନୂଆଦିଲ୍ଲୀ ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ଚୁକ୍ତି ବଦଳରେ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ସମ୍ପତ୍ତି ବଜାର ଦର ତୁଳନାରେ ବହୁତ କମ୍ ମୂଲ୍ୟରେ ଡିଏଲ୍ଏଫ୍ ଦ୍ୱାରା ଅନୁଦାନ ପ୍ରାପ୍ତ ଏକ ସେଲ୍ କମ୍ପାନୀ କିଣିଥିଲା | ଏହା ପରେ ତେଜସ୍ୱୀ ଯାଦବ ଏହି ସେଲ୍ କମ୍ପାନୀ କିଣିଥିବା ଅଭିଯୋଗ ରହିଛି। ଏହି ଡିଲରେ ଯାଦବ ପରିବାରର ଅନ୍ୟ କେତେକ ସଦସ୍ୟଙ୍କ ମଧ୍ୟ ସମ୍ପୃକ୍ତି ରହିଥିବା କୁହାଯାଇଛି।