ଦଶମ ଶ୍ରେଣୀ ଇଂରାଜୀ ପରୀକ୍ଷାରୁ ବିବାଦୀୟ ପ୍ରଶ୍ନ ହଟାଇଲା ସିବିଏସ୍ଇ, ପିଲାଙ୍କୁ ପୂର୍ଣ୍ଣ ମାର୍କ ଦିଆଯିବ | News Room Odisha

ଦଶମ ଶ୍ରେଣୀ ଇଂରାଜୀ ପରୀକ୍ଷାରୁ ବିବାଦୀୟ ପ୍ରଶ୍ନ ହଟାଇଲା ସିବିଏସ୍ଇ, ପିଲାଙ୍କୁ ପୂର୍ଣ୍ଣ ମାର୍କ ଦିଆଯିବ

ନୂଆଦିଲ୍ଲୀ: ସୋମବାର ସିବିଏସ୍ଇ ଦଶମ ଶ୍ରେଣୀ ଇଂରାଜୀ ପରୀକ୍ଷାରୁ କିଛି ବିବାଦୀୟ ପ୍ରଶ୍ନ ହଟାଇ ଦେଇଛି ଏବଂ ଛାତ୍ରଛାତ୍ରୀଙ୍କୁ ପୂର୍ଣ୍ଣ ମାର୍କ ଦେବାକୁ ନିଷ୍ପତ୍ତି ନେଇଛି। କିଛି ପ୍ରଶ୍ନ “ଲିଙ୍ଗଗତ ରୁଢିବାଦିତା” କୁ ପ୍ରୋତ୍ସାହିତ କରୁଥିବା ଏବଂ “ରକ୍ଷଣଶୀଳ ଧାରଣା” କୁ ସମର୍ଥନ କରୁଥିବା ନେଇ ଅଭିଯୋଗ ହେବା ପରେ ସିବିଏସ୍ଇ ବୋର୍ଡ ଏହି ପଦକ୍ଷେପ ନେଇଛି |

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ଏସବିଏସ୍ଇ) ରବିବାର ଏହି ମାମଲାକୁ ବିଷୟ ବିଶେଷଜ୍ଞଙ୍କ ନିକଟକୁ ପଠାଇ ସେମାନଙ୍କ ପ୍ରତିକ୍ରିୟା ଲୋଡ଼ିଥିଲା। ଶନିବାର ଅନୁଷ୍ଠିତ ଦଶମ ପରୀକ୍ଷା ପ୍ରଶ୍ନପତ୍ରରେ, “ମହିଳାଙ୍କ ସ୍ବାଧୀନତା ପିଲାମାନଙ୍କ ଉପରେ ପିତାମାତାଙ୍କ ଅଧିକାରକୁ ସମାପ୍ତ କରିଦେଇଛି” ଏବଂ ” ନିଜ ସ୍ବାମୀଙ୍କ ପଦାଙ୍କ ଅନୁସରଣ କରି ହିଁ ଜଣେ ମାତା କନିଷ୍ଠ ମାନଙ୍କ ସମ୍ମାନ ପାଇପାରିବେ” ବୋଲି ବାକ୍ୟ ବ୍ୟବହାର ଉପରେ ଆପତ୍ତି ଉଠିଥିଲା।

ପ୍ରଶ୍ନପତ୍ରର ଏହିପରି କିଛି ବିବାଦୀୟ ଅଂଶ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା | ଏହି ପ୍ରଶ୍ନଗୁଡିକ ଉପରେ ଟ୍ୱିଟରରେ ଲୋକମାନେ ସିବିଏସ୍ଇ କୁ ଟାର୍ଗେଟ କରିଥିଲେ । ସିବିଏସ୍ଇ ମହିଳାଙ୍କୁ ଅପମାନିତ କରିଛି ବୋଲି ଅଭିଯୋଗ ହୋଇଥିଲା । ଏହାଛଡ଼ା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ସିବିଏସ୍ଇ ପରୀକ୍ଷାରେ ଏଭଳି ପ୍ରଶ୍ନ ନେଇ କେନ୍ଦ୍ରକୁ ସମାଲୋଚନା କରିଥିଲେ ।