ଲୋକସଭା ନିର୍ବାଚନରେ ୬୪.୨ କୋଟି ଲୋକଙ୍କ ମତଦାନ ସହ ଭାରତର ବିଶ୍ୱ ରେକର୍ଡ | News Room Odisha

ଲୋକସଭା ନିର୍ବାଚନରେ ୬୪.୨ କୋଟି ଲୋକଙ୍କ ମତଦାନ ସହ ଭାରତର ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଏଥର‌ ଲୋକସଭା ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି। ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ୩୧.୨ କୋଟି ମହିଳାଙ୍କ ସହ ସର୍ବମୋଟ ୬୪.୨ କୋଟି ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ ବୋଲି ସିଇସି କହିଛନ୍ତିି।

ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜୀବ କୁମାର କହିଛନ୍ତି ଯେ ବିଶ୍ୱର ସର୍ବବୃହତ ନିର୍ବାଚନ ପ୍ରକ୍ରିୟାରେ ୬୮,୦୦୦ରୁ ଅଧିକ ମନିଟରିଂ ଟିମ୍ ଏବଂ ୧.୫ କୋଟିରୁ ଅଧିକ ମତଦାନ ଏବଂ ସୁରକ୍ଷା କର୍ମୀ ସାମିଲ ହୋଇଥିଲେ। ୩୧.୨ କୋଟି ମହିଳାଙ୍କ ସମେତ ୬୪.୨ କୋଟି ଭୋଟରଙ୍କ ଅଂଶଗ୍ରହଣ ସହ ଭାରତ ଚଳିତ ବର୍ଷ ଲୋକସଭା ନିର୍ବାଚନରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ।

କୁମାର କହିଛନ୍ତି, ଏଥର ଲୋକସଭା ନିର୍ବାଚନ ପାଇଁ ପ୍ରାୟ ଚାରି ଲକ୍ଷ ଯାନ, ୧୩୫ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ୧୬୯୨ ବିମାନ ବ୍ୟବହାର କରାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ କେବଳ ୩୯ ସାନି ମତଦାନ ହୋଇଛି ଯାହା ୨୦୧୯ ତୁଳନାରେ ବହୁତ କମ୍ । ୨୦୧୯ ନିର୍ବାଚନରେ ୫୪୦ଟି ସାନି ମତଦାନ ହୋଇଥିଲା।”

ଜମ୍ମୁ କାଶ୍ମୀରରେ ମଧ୍ୟ ଚାରି ଦଶନ୍ଧି ମଧ୍ୟରେ ସର୍ବାଧିକ ମତଦାନ (୫୮.୫୮ ପ୍ରତିଶତ) ହୋଇଛି । ସିଇସି ସୂଚନା ଦେଇ‌ କହିଛନ୍ତି ୨୦୨୪ ସାଧାରଣ ନିର୍ବାଚନ ସମୟରେ ନଗଦ, ପ୍ରଲୋଭନ ସାମଗ୍ରୀ, ଡ୍ରଗ୍ସ ଏବଂ ମଦ ସହ ୧୦,୦୦୦ କୋଟି ଟଙ୍କା ଜବତ ହୋଇଥିଲା, ଯେତେବେଳେ କି ୨୦୧୯ରେ ୩୫୦୦ କୋଟି ଟଙ୍କା ଜବତ କରାଯାଇଥିଲା।