ଚେତାଇଲା କେନ୍ଦ୍ର, ଶେଷ ହୋଇନାହିଁ କରୋନାର ଦ୍ୱିତୀୟ ଲହର, ସତର୍କତା ସହ ପର୍ବପର୍ବାଣୀ ପାଳନ କରିବାକୁ ପରାମର୍ଶ | News Room Odisha

ଚେତାଇଲା କେନ୍ଦ୍ର, ଶେଷ ହୋଇନାହିଁ କରୋନାର ଦ୍ୱିତୀୟ ଲହର, ସତର୍କତା ସହ ପର୍ବପର୍ବାଣୀ ପାଳନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ନୂଆ ମାମଲା ଏବଂ ସକ୍ରିୟ ରୋଗୀଙ୍କ ସଂଖ୍ୟା ନେଇ କେରଳରେ ସବୁଠାରୁ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଦ୍ବିତୀୟ ଲହର ଶେଷ ହୋଇନାହିଁ । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସେପ୍ଟେମ୍ବର ଓ ଅକ୍ଟୋବର କୋଭିଡ୍ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କେନ୍ଦ୍ର ଚେତାବନୀ ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଗତ ୨୫ ଘଣ୍ଟାରେ ଦେଶରେ ୪୬ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୮ ପ୍ରତିଶତ ଆକ୍ରାନ୍ତ କେବଳ କେରଳରେ ଚିହ୍ନଟ ହୋଇଛନ୍ତି। ଅବଶିଷ୍ଟ ରାଜ୍ୟଗୁଡ଼ିକରେ ସଂକ୍ରମଣ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି ।

ସେ କହିଛନ୍ତି ଯେ କେରଳରେ ଏକ ଲକ୍ଷରୁ ଅଧିକ ସକ୍ରିୟ ରୋଗୀ ଅଛନ୍ତି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ୧୦,୦୦୦ ରୁ ଏକ ଲକ୍ଷ ପର୍ଯ୍ୟନ୍ତ ସକ୍ରିୟ ମାମଲା ରହିଛି। ଦେଶର ମୋଟ ସକ୍ରିୟ ରୋଗୀଙ୍କ ତୁଳନାରେ କେରଳରେ ୫୧ ପ୍ରତିଶତ ସକ୍ରିୟ ରୋଗୀ, ମହାରାଷ୍ଟ୍ରରେ ୧୬ ପ୍ରତିଶତ ଏବଂ ଅବଶିଷ୍ଟ ତିନୋଟି ରାଜ୍ୟରେ ତିନିରୁ ଚାରି ପ୍ରତିଶତ ସକ୍ରିୟ ରୋଗୀ ଅଛନ୍ତି।

ଦେଶରେ କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେଇ ସରକାର କହିଛନ୍ତି ଯେ ଭାରତର ୪୧ଟି ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ। ଆମେ ଏବେ ବି କରୋନାର ଦ୍ୱିତୀୟ ଲହର ଦେଇ ଗତି କରୁଛୁ | ଆଗକୁ ପାର୍ବଣ ଋତୁ ଆସୁଥିବାରୁ ମହାମାରୀ ପରିଚାଳନାରେ ସେପ୍ଟେମ୍ବର ଏବଂ ଅକ୍ଟୋବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।