ରାଷ୍ଟ୍ରପତି ନିର୍ବାଚନ: ଫଳାଫଳ ଘୋଷଣା ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ରାଇରଙ୍ଗପୁରରେ ବିଜୟ ଉତ୍ସବ | News Room Odisha

ରାଷ୍ଟ୍ରପତି ନିର୍ବାଚନ: ଫଳାଫଳ ଘୋଷଣା ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ରାଇରଙ୍ଗପୁରରେ ବିଜୟ ଉତ୍ସବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣତି ୧୧ଟାରେ ଆରମ୍ଭ ହୋଇଛି । ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାହା ଜାଣିବାକୁ ଦେଶବାସୀ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଛନ୍ତି। ଏଥର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ​​୯୯ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ଜୁଲାଇ ୧୮ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ମେଣ୍ଟର ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ହୋଇଥିଲା ପ୍ରତିଦ୍ବନ୍ଦିତା । ତେବେ ସଂଖ୍ୟା ଗଣିତକୁ ଦେଖିଲେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ ବୋଲି କୁହାଯାଉଛି ।

ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ହିଁ ଦ୍ରୌପଦୀ ମୁର୍ମୁଙ୍କ ଆବାସିକ ସ୍ଥଳୀ ଓଡ଼ିଶାର ରାଇରଙ୍ଗପୁରରେ ବିଜୟ ଉତ୍ସବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଲୋକଙ୍କୁ ବାଣ୍ଟିବା ପାଇଁ ଲଡ଼ୁ ତିଆରି କରି ରଖାଯାଇଛି।

ଯଦି ଦ୍ରୌପଦୀ ମୁର୍ମୁ ​​ବିଜୟୀ ହୁଅନ୍ତି ତେବେ ସେ ଦେଶର ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି ହେବେ । ଏଠାରେ ସଂସଦ ଗୃହରେ ପୂର୍ବାହ୍ନ ୧୧ ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଛି ଏବଂ ଏହି ପ୍ରକ୍ରିୟା ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିପାରେ |

ସେପଟେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ଦିଲ୍ଲୀ ବିଜେପି ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଦଳର ରାଷ୍ଟ୍ରୀୟ ମୁଖ୍ୟ ଜେପି ନଡ୍ଡାଙ୍କ ନେତୃତ୍ୱରେ ଏକ ବିଶାଳ “ଅଭିନନ୍ଦନ ଯାତ୍ରା” ଯୋଜନା କରିଛନ୍ତି।