୧୦ ରାଜ୍ୟର ୨୭ଟି ଜିଲ୍ଲାରେ ବଢ଼ୁଛି ସଂକ୍ରମଣ, ସ୍ଥିତି ଉପରେ କଡ଼ା ନଜର ରଖିବାକୁ ପୁଣି ରାଜ୍ୟମାନଙ୍କୁ କହିଲା କେନ୍ଦ୍ର | News Room Odisha

୧୦ ରାଜ୍ୟର ୨୭ଟି ଜିଲ୍ଲାରେ ବଢ଼ୁଛି ସଂକ୍ରମଣ, ସ୍ଥିତି ଉପରେ କଡ଼ା ନଜର ରଖିବାକୁ ପୁଣି ରାଜ୍ୟମାନଙ୍କୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଓମିକ୍ରନ ବିପଦ ଓ ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ମଧ୍ୟରେ କେନ୍ଦ୍ର ସରକାର ପୁଣି ଥରେ ସବୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କୋଭିଡ୍ ସ୍ଥିତି ଉପରେ ନଜର ରଖିବା ସହ ନୂଆ ମାମଲାଗୁଡ଼ିକର କ୍ଲଷ୍ଟରକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ସ୍ତରରେ ପଦକ୍ଷେପ ନେବାକୁ କେନ୍ଦ୍ର ରାଜ୍ୟମାନଙ୍କୁ କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ କେରଳ, ମିଜୋରାମ, ଅରୁଣାଚଳ ପ୍ରଦେଶ, ପୁଡୁଚେରୀ, ମଣିପୁର, ପଶ୍ଚିମବଙ୍ଗ ଏବଂ ନାଗାଲାଣ୍ଡର ୧୯ଟି ଜିଲ୍ଲାରେ ସଂକ୍ରମଣ ହାର ଗତ ଦୁଇ ସପ୍ତାହ ଧରି ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି।

ସେ କହିଛନ୍ତି ଯେ ଗତ ଦୁଇ ସପ୍ତାହ ମଧ୍ୟରେ ମିଜୋରାମ, କେରଳ ଏବଂ ସିକ୍କିମର ଆଠଟି ଜିଲ୍ଲାରେ କୋଭିଡ ସଂକ୍ରମଣ ହାର ୧୦% ରୁ ଅଧିକ ରହିଛି। ଏହି ୨୭ଟି ଜିଲ୍ଲା ଉପରେ କଡା ନଜର ରଖିବାର ଆବଶ୍ୟକତା ରହିଛି ବୋଲି ଭୂଷଣ ଚିଠିରେ ଲେଖିଛନ୍ତି।

ସେ କହିଛନ୍ତି ଯେ ଏହି ପରିପ୍ରେକ୍ଷୀରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସ୍ଥିତି ଉପରେ ନଜର ରଖିବା ଏବଂ କରୋନାର ନୂଆ ମାମଲାଗୁଡ଼ିକର କ୍ଲଷ୍ଟରକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ସ୍ତରରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

ଭୂଷଣ କହିଛନ୍ତି ଯେ ଯଦି କୌଣସି ଜିଲ୍ଲାରେ ମାମଲା ବୃଦ୍ଧି ପାଏ କିମ୍ବା ସଂକ୍ରମଣ ହାର ବଢ଼ିଯଏ, ତେବେ କଣ୍ଟେଣ୍ଟମେଣ୍ଟ ଜୋନର ପରିସୀମା ଅନୁଯାୟୀ ସ୍ଥାନୀୟ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବା ଉଚିତ।