ଭାରତ ବିରୋଧୀ ୨୦ଟି ୟୁଟ୍ୟୁବ ଚ୍ୟାନେଲ ଓ ଦୁଇଟି ଓ୍ବେବସାଇଟକୁ ବ୍ୟାନ୍ କଲେ ସରକାର | News Room Odisha

ଭାରତ ବିରୋଧୀ ୨୦ଟି ୟୁଟ୍ୟୁବ ଚ୍ୟାନେଲ ଓ ଦୁଇଟି ଓ୍ବେବସାଇଟକୁ ବ୍ୟାନ୍ କଲେ ସରକାର

ନୂଆଦିଲ୍ଲୀ: ଭାରତ ବିରୋଧୀ ପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣ କରୁଥିବା ୨୦ଟି ୟୁଟ୍ୟୁବ ଚ୍ୟାନେଲ ସହ ପାକିସ୍ତାନର ଦୁଇଟି ୱେବସାଇଟକୁ ସୋମବାର କେନ୍ଦ୍ର ସରକାର ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ତରଫରୁ କୁହାଯାଇଛି ଯେ, ଏହି ଚ୍ୟାନେଲଗୁଡ଼ିକ କାଶ୍ମୀର, ଭାରତୀୟ ସେନା, ଭାରତର ସଂଖ୍ୟାଲଘୁ ସମ୍ପ୍ରଦାୟ, ରାମ ମନ୍ଦିର, ସିଡିଏସ୍ ଜେନେରାଲ୍ ରାୱତ ଆଦି ପ୍ରସଙ୍ଗରେ ବିଭ୍ରାନ୍ତିକର ଖବର ପ୍ରସାରଣ କରି ଭାରତକୁ ବଦନାମ କରୁଥିଲେ । ବ୍ୟାନ୍ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲଗୁଡିକ କୃଷକ ଆନ୍ଦୋଳନ ଏବଂ ନାଗରିକତା ଆଇନ ବିରୋଧରେ ହେଉଥିବା ପ୍ରଦର୍ଶନ ଭଳି ପ୍ରସଙ୍ଗରେ ମଧ୍ୟ ପୋଷ୍ଟ କରୁଥିଲେ ଏବଂ ସରକାରଙ୍କ ବିରୋଧରେ ସଂଖ୍ୟାଲଘୁଙ୍କୁ ଉସକାଉଥିଲେ । ପାଞ୍ଚଟି ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଏହି ଚ୍ୟାନେଲଗୁଡିକ ଲକ୍ଷ୍ୟ ରଖିଥିବା ଆଶଙ୍କା ପ୍ରକାଶ ପାଇଥିଲା ବୋଲି କେନ୍ଦ୍ର ସରକାର କହିଛନ୍ତି।

ଜାତୀୟ ସୁରକ୍ଷା ଦୃଷ୍ଟିରୁ ଅଧିକାଂଶ କଣ୍ଟେଣ୍ଟ ସମ୍ବେଦନଶୀଳ ଏବଂ ତଥ୍ୟ ଦୃଷ୍ଟିରୁ ମଧ୍ୟ ଭୁଲ୍ ଥିଲା ବୋଲି କେନ୍ଦ୍ର ସରକାର କହିଛନ୍ତି। ତେଣୁ ସୂଚନା ପ୍ରଯୁକ୍ତି ନିୟମ ୧୬ ଅନୁଯାୟୀ ଏହି ଚ୍ୟାନେଲ ଏବଂ ୱେବସାଇଟଗୁଡ଼ିକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସରକାର କହିଛନ୍ତି ‌।