ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ପୁଅକୁ ଆତଙ୍କବାଦୀ ଘୋଷିତ କଲେ ଭାରତ ସରକାର | News Room Odisha

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ପୁଅକୁ ଆତଙ୍କବାଦୀ ଘୋଷିତ କଲେ ଭାରତ ସରକାର

ନୂଆଦିଲ୍ଲୀ: ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ, ୧୯୬୭ ଅନୁଯାୟୀ ଲଶ୍କର-ଏ-ତଇବା (ଏଲ୍ଇଟି) ମୁଖ୍ୟ ହାଫିଜ ସଇଦର ପୁଅ ହାଫିଜ ତଲହା ସଇଦକୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୃହ ମନ୍ତ୍ରଣାଳୟ ଶନିବାର ଏକ ବିସ୍ତୃତ ବିଜ୍ଞପ୍ତି ଜାରି କରିଛି।

ଗୃହ ମନ୍ତ୍ରଣାଳୟ ଏହାର ବିଜ୍ଞପ୍ତିରେ କହିଛି ଯେ ହାଫିଜ ତଲହା ସଇଦ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ, ଆତଙ୍କବାଦୀ ନିଯୁକ୍ତି, ସେମାନଙ୍କୁ ତାଲିମ ଦେବା ପାଇଁ କାର୍ଯ୍ୟ କରୁଛି। ସେ ଲଗାତାର ଭାରତ ଏବଂ ଆଫଗାନିସ୍ତାନରେ ଭାରତୀୟ ସମ୍ପତ୍ତିକୁ ଟାର୍ଗେଟ କରିବାକୁ ଯୋଜନା କରୁଛି। ତଲହା ସଇଦ ପାକିସ୍ତାନର ଲଶ୍କର-ଏ-ତଇବା ଶିବିରକୁ ଯାଇଥାଏ ଏବଂ ଏଠାରେ ଉତ୍ତେଜନାପୂର୍ଣ୍ଣ ଭାଷଣ ମାଧ୍ୟମରେ ଭାରତ, ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଜିହାଦ ଘୋଷଣା କରିବାକୁ ଆତଙ୍କବାଦୀ ମାନଙ୍କୁ ପ୍ରୋତ୍ସାହିତ କରେ ।

ଏହାପୂର୍ବରୁ ଶୁକ୍ରବାର ଦିନ ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ସଇଦଙ୍କୁ ଦୁଇଟି ଆତଙ୍କବାଦ ମାମଲାରେ ୩୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲା। ଏହାପୂର୍ବରୁ ୭୦ ବର୍ଷୀୟ ଆତଙ୍କବାଦୀ ହାଫିଜ ସଇଦଙ୍କୁ ଅନ୍ୟ ୫ ଟି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୩୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।