କୋଭିଡ-୧୯ର ନୂଆ ଭାରିଆଣ୍ଟର ଚିହ୍ନଟ ଲାଗି ଅଧିକ ନମୁନା ପଠାଇବାକୁ ରାଜ୍ୟମାନଙ୍କୁ କହିଲା କେନ୍ଦ୍ର | News Room Odisha

କୋଭିଡ-୧୯ର ନୂଆ ଭାରିଆଣ୍ଟର ଚିହ୍ନଟ ଲାଗି ଅଧିକ ନମୁନା ପଠାଇବାକୁ ରାଜ୍ୟମାନଙ୍କୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି କରୋନା ସଂକ୍ରମଣ ପୁଣି ବଢୁଥିବା ବେଳେ କରୋନା ସଂକ୍ରମିତ ରୋଗୀଙ୍କ ଅଧିକ ନମୁନା ପଠାଇବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ‌। ଜିନୋମ ସିକ୍ବେନ୍ସିଂ ଦ୍ବାରା ନୂଆ ଭାରିଆଣ୍ଟ ଚିହ୍ନଟ କରିବା ପାଇଁ ଅଧିକ ନମୁନା ପଠାଇବାକୁ ରାଜ୍ୟମାନଙ୍କୁ କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସଂକ୍ରମଣର ଭୌଗୋଳିକ ଅବସ୍ଥିତିକୁ ଦୃଷ୍ଟିରେ ରଖି ନମୁନା ପଠାଯିବା ଉଚିତ ବୋଲି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ଯାହା ଫଳରେ କରୋନାର ନୂଆ ଭାରିଆଣ୍ଟ୍ ସମ୍ପର୍କରେ ଅଧିକରୁ ଅଧିକ ସୂଚନା ପ୍ରଦାନ କରାଯାଇପାରିବ।

ସଂକ୍ରମଣ ବହୁ ଅଞ୍ଚଳରେ ବ୍ୟାପିଥିଲେ ମଧ୍ୟ କିଛି ରାଜ୍ୟର ଅଳ୍ପ କିଛି ଜିଲ୍ଲାରୁ ହିଁ ନମୁନା ଆସୁଛି ।ତେଣୁ ଭୌଗୋଳିକ ଅବସ୍ଥାନକୁ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟମାନଙ୍କୁ କହିଛି କେନ୍ଦ୍ର ।

କରୋନା ସଂକ୍ରମିତ ରୋଗୀଙ୍କ ମଧ୍ୟରେ ‘ଭାରିଆଣ୍ଟ ଅଫ କନସର୍ନ’ ଏବଂ ‘ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ’
କୁ ଅଲଗା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏଥିପାଇଁ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି ।