ଗୋଟିଏ ଦେଶ, ଗୋଟିଏ ନିର୍ବାଚନ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କଲେ ସରକାର | News Room Odisha

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କଲେ ସରକାର

ନୂଆଦିଲ୍ଲୀ: ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବାବଦରେ ସରକାର ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି କ୍ରମେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ‌ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି। କମିଟି ସଦସ୍ୟଙ୍କ ସମ୍ପର୍କରେ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ଏହି କମିଟି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଆଇନଗତ ଦିଗ ଉପରେ ଦୃଷ୍ଟି ଦେବ। ସେପ୍ଟେମ୍ବର ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଉପରେ ସରକାର ଏକ ବିଲ୍ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ କମିଟି ଗଠନ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ଚୌଧୁରୀ କହିଛନ୍ତି, ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଉପରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ନୁହେଁ। ଏବେ ଏହାର କୌଣସି ଆବଶ୍ୟକତା ନାହିଁ | ସରକାର ପ୍ରଥମେ ବେକାରୀ, ଦରଦାମ୍ ବୃଦ୍ଧି ଭଳି ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେବା ଉଚିତ୍। ସେହିପରି ବରିଷ୍ଠ ବାମପନ୍ଥୀ ନେତା ଡି.ରାଜା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ କମିଟି ଗଠନ ନିଷ୍ପତ୍ତି ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ‌। ସରକାର ବିରୋଧୀ ଦଳଙ୍କ ସହ ପରାମର୍ଶ ନ କରି କିପରି ଏଭଳି ନିଷ୍ପତ୍ତି ନେଇପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପ୍ଟେମ୍ବର ୧୮ ରୁ ୨୨ ମଧ୍ୟରେ କେନ୍ଦ୍ର ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି। ଏହି ଅଧିବେଶନରେ ସରକାର ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ ବିଲ୍ ଆଣିବେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ଭାଗ ନେବାକୁ ମୁମ୍ବାଇ ଆସିଥିବା ଖଡ଼ଗେ କହିଛନ୍ତି, ସରକାର ଯଦି ଏହି ବିଲ୍ ଆଣିବାକୁ ଚାହୁଁଛନ୍ତି ତେବେ ଆଣନ୍ତୁ, ଆମ ଲଢେଇ ଜାରି ରହିବ। ଏହାପୂର୍ବରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସମେତ ବହୁ ବିରୋଧୀଦଳ ନେତା ଦେଶରେ ଆଗୁଆ ଲୋକସଭା ନିର୍ବାଚନ ନେଇ ଆଶଙ୍କା ପ୍ରକାଶ କରିଥିଲେ।