ପ୍ରମୁଖ କ୍ରୀଡ଼ା ଇଭେଣ୍ଟ ବେଳେ ଅନଲାଇନ ଜୁଆଖେଳ ସମ୍ବନ୍ଧୀୟ ବିଜ୍ଞାପନ ନ ଦେଖାଇବାକୁ ଗଣମାଧ୍ୟମକୁ କେନ୍ଦ୍ରର ପରାମର୍ଶ | News Room Odisha

ପ୍ରମୁଖ କ୍ରୀଡ଼ା ଇଭେଣ୍ଟ ବେଳେ ଅନଲାଇନ ଜୁଆଖେଳ ସମ୍ବନ୍ଧୀୟ ବିଜ୍ଞାପନ ନ ଦେଖାଇବାକୁ ଗଣମାଧ୍ୟମକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ପ୍ରମୁଖ କ୍ରୀଡ଼ା ଇଭେଣ୍ଟ ବେଳେ ଅନଲାଇନ ବେଟିଂ ତଥା ଜୁଆଖେଳ ସହ ଜଡ଼ିତ ବିଜ୍ଞାପନ ନ ଦେଖାଇବାକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେଇଛି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଏଥିରେ କୁହାଯାଇଛି, ଏଭଳି ବିଜ୍ଞାପନରେ କଳା ଟଙ୍କ ଲାଗିଥିବା ସମ୍ଭାବନା ରହିଛି। ଏହି ଆଡଭାଇଜରି ପାଳନ ନ କଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ।

ଗଣମାଧ୍ୟମ ସଂସ୍ଥା ସହ ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ମଧ୍ୟ ଏହି ଆଡଭାଇଜରି ଜାରି ହୋଇଛି ।

ମନ୍ତ୍ରଣାଳୟ ନିକଟରେ ଏଜେଣ୍ଟମାନଙ୍କ ଏକ ନେଟୱାର୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଲ୍ଲେଖ କରି କହିଛି, ସେମାନେ ଅନଲାଇନ ଜୁଆ ଖେଳର ଗ୍ରାହକଙ୍କ ଠାରୁ ବହୁ ଟଙ୍କା ସଂଗ୍ରହ କରି ଭାରତ ବାହାରକୁ ପଠାଇଥାନ୍ତି । ଜୁଆ ଖେଳ / ବେଟିଂ ପ୍ଲାଟଫର୍ମରେ ବିଜ୍ଞାପନ ବିଶେଷକରି ଯୁବକ ଏବଂ କିଶୋରଙ୍କ ପାଇଁ ଘୋର ଆର୍ଥିକ ଏବଂ ସାମାଜିକ-ଅର୍ଥନୈତିକ ରିସ୍କ ସୃଷ୍ଟି କରିଥାଏ । ମନି ଲଣ୍ଡରିଂ ନେଟୱାର୍କ ସହିତ ଏହି ସିଷ୍ଟମର ଲିଙ୍କ ରହିଛି, ଯାହା ଦେଶର ଆର୍ଥିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି।

ମନ୍ତ୍ରଣାଳୟ ଆଡଭାଇଜରିରେ କୁହାଯାଇଛି ଯେ ଏଭଳି ବିଜ୍ଞାପ‌ନ‌ ପାଇଁ ଖର୍ଚ୍ଚ କଳା ଟଙ୍କାରୁ ହେଉଥିବା ଆଶଙ୍କା ରହିଛି। ବିଜ୍ଞାପନ ମଧ୍ୟସ୍ଥି ତଥା ସୋସିଆଲ ମିଡିଆ ପ୍ଲାଟଫର୍ମ ସହ କିଛି ମିଡିଆ ସଂସ୍ଥା କ୍ରିକେଟ୍ ଓ ଅନ୍ୟ ପ୍ରମୁଖ କ୍ରୀଡା ଇଭେଣ୍ଟ ସମୟରେ ବେଟିଂ ଏବଂ ଜୁଆ ପ୍ଲାଟଫର୍ମର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ବିଜ୍ଞାପନକୁ ଅନୁମତି ଦେଉଛନ୍ତି। ଯେ କୌଣସି ପ୍ରମୁଖ କ୍ରୀଡା ଇଭେଣ୍ଟ, ବିଶେଷକରି କ୍ରିକେଟ୍ ସମୟରେ ଏହିପରି ବ୍ୟାଟିଂ ଏବଂ ଜୁଆ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବାର ପ୍ରବୃତ୍ତି ରହିଛି । ଏହା ଖାଉଟି ସୁରକ୍ଷା ଆଇନ, ୨୦୧୯, ପ୍ରେସ କାଉନସିଲ ଆକ୍ଟ ୧୯୭୮ ଆଦି ଆଇନର ଉଲ୍ଲଂଘନ କରୁଛି।