କେନ୍ଦ୍ର ଓ 'ଉଲଫା' ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି ସ୍ଵାକ୍ଷରିତ  | News Room Odisha

କେନ୍ଦ୍ର ଓ ‘ଉଲଫା’ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି ସ୍ଵାକ୍ଷରିତ 

ଗୁଆହାଟୀ: ଆସାମର ଉଗ୍ରବାଦୀ ସଂଗଠନ ‘ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ (ଉଲଫା) ଶୁକ୍ରବାର କେନ୍ଦ୍ର ଓ ଆସାମ ସରକାରଙ୍କ ସହ ଏକ ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଛି । ‘ଉଲଫା’ର ୪୪ ବର୍ଷର ସଶସ୍ତ୍ର ସଂଗ୍ରାମରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ବୋଲି କୁହାଯାଉଛି।

ଦିଲ୍ଲୀରେ ଶୁକ୍ରବାର ଉଲଫା ସହିତ ଚୁକ୍ତି ସ୍ୱାକ୍ଷର ଅବସରରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା, ଗୃହ ସଚିବ ଅଜୟ ଭାଲା, ଆସାମ ଡିଜିପି ଜିପି ସିଂହ ଏବଂ ଉଲଫା ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ। ଉଲଫା ସହ ଏହି ଚୁକ୍ତିକୁ ଆସାମ ଲୋକଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି ଅମିତ ଶାହ।

ସେ କହିଛନ୍ତି, “ଉଲଫାର ହିଂସା ଯୋଗୁଁ ଆସାମ ବହୁଦିନ ଧରି କ୍ଷତି ସହି ଆସିଛି । ୧୯୭୯ ମସିହାରୁ ଉଲଫା ଯୋଗୁଁ ୧୦,୦୦୦ ଲୋକ ପ୍ରାଣ ହରାଇଛନ୍ତି। ଆସାମର ସର୍ବ ପୁରାତନ ସନ୍ତ୍ରାସବାଦ ଗୋଷ୍ଠୀ ଉଲଫା ହିଂସା ଛାଡ଼ି ନିଜ ସଂଗଠନକୁ ଭାଙ୍ଗି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗଦେବାକୁ ରାଜି ହୋଇଛି ବୋଲି ଶାହ କହିଛନ୍ତି ।

ତେବେ ପରେଶ ବରୁଆଙ୍କ ନେତୃତ୍ଵାଧୀନ ଉଲଫା (ସ୍ବାଧୀନ) ଗୋଷ୍ଠୀ କେନ୍ଦ୍ର ଓ ଆସାମ ସରକାରଙ୍କ ସହ ଶାନ୍ତି ଚୁକ୍ତିରେ ସାମିଲ ହୋଇନାହିଁ । ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଶାନ୍ତି ଚୁକ୍ତିର ଅଂଶ ହେବାକୁ ଏହି ଗୋଷ୍ଠୀ ମନା କରିଦେଇଥିଲା । ପରେଶ ବରୁଆ ଚୀନ-ମିଆଁମାର ସୀମାରେ ଆତ୍ମଗୋପନ କରିଥିବା କୁହାଯାଇଛି ।

ଆସାମର ଅନେକ ବିବାଦୀୟ ପ୍ରସଙ୍ଗ ମଧ୍ୟରେ ‘ଉଲଫା’ ପ୍ରସଙ୍ଗ ସବୁଠୁ ଶୀର୍ଷରେ ରହିଥିଲା | ପ୍ରଥମେ ଏକ ଆନ୍ଦୋଳନ ଭାବେ ଆରମ୍ଭ ହୋଇଥିବା ‘ଉଲଫା’ ପରବର୍ତ୍ତୀ ସମୟରେ ଅପହରଣ, ନିର୍ଯାତନା, ହତ୍ୟା ଏବଂ ବୋମା ବିସ୍ଫୋରଣ ଭଳି ହିଂସାର ପଥକୁ ଓହ୍ଲାଇ ଏକ ସଶସ୍ତ୍ର ସଂଗ୍ରାମରେ ପରିଣତ ହୋଇଥିଲା |