ବିହାର ଜାତିଗତ ଜନଗଣନା ମାମଲାରେ ସାନି ସତ୍ୟପାଠ ଦାଖଲ କଲା କେନ୍ଦ୍ର, ପୂର୍ବ ମନ୍ତବ୍ୟ ପ୍ରତ୍ୟାହାର କଲା | News Room Odisha

ବିହାର ଜାତିଗତ ଜନଗଣନା ମାମଲାରେ ସାନି ସତ୍ୟପାଠ ଦାଖଲ କଲା କେନ୍ଦ୍ର, ପୂର୍ବ ମନ୍ତବ୍ୟ ପ୍ରତ୍ୟାହାର କଲା

ନୂଆଦିଲ୍ଲୀ: ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାରଙ୍କ ବ୍ୟତୀତ ଅନ୍ୟ କୌଣସି ସଂସ୍ଥା କିମ୍ବା ରାଜ୍ୟର ଜନଗଣନା କରିବା ଅଧିକାର ନାହିଁ । କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟରେ ଏପରି ଯୁକ୍ତି ବାଢ଼ିଥିଲେ ।‌ ହେଲେ କିଛି ଘଣ୍ଟା ମଧ୍ୟରେ ସରକାର ତାଙ୍କର ଏହି ମନ୍ତବ୍ୟ ଫେରାଇ ନେଇଛନ୍ତି । ଏହି ମନ୍ତବ୍ୟ ଭୁଲ୍ ବଶତଃ ସତ୍ୟପାଠରେ ସାମିଲ ହୋଇଯାଇଥିଲା ବୋଲି କହିଛନ୍ତି କେନ୍ଦ୍ର ସରକାର।

ସୋମବାର ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ଗୃହ ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ କହିଥିଲା ଯେ ସମ୍ବିଧାନ ଅନୁଯାୟୀ କେନ୍ଦ୍ର ବ୍ୟତୀତ ଅନ୍ୟ କୌଣସି ସଂସ୍ଥା ଜନଗଣନା କିମ୍ବା ଏପରି କୌଣସି କାର୍ଯ୍ୟ କରିବା ଅଧିକାର ପାଇ ନାହାଁନ୍ତି। ହେଲେ ସନ୍ଧ୍ୟାରେ କେନ୍ଦ୍ର ସରକାର ଆଉ ଏକ ନୂଆ ସତ୍ୟପାଠ ଦାଖଲ କରି ଦର୍ଶାଇଛନ୍ତି ଯେ ପୂର୍ବ ସତ୍ୟପାଠରେ ପାରା ୫ ଅଜାଣତରେ ରହିଯାଇଥିଲା | ତେଣୁ ସେହି ସତ୍ୟପାଠ ପ୍ରତ୍ୟାହାର କରାଯାଇଛି | ବର୍ତ୍ତମାନ କେବଳ ନୂଆ ସତ୍ୟପାଠ ବିଚାର କରାଯାଉ ବୋଲି ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛି କେନ୍ଦ୍ର | ସାନି ସତ୍ୟପାଠରେ ଗୃହ ମନ୍ତ୍ରଣାଳୟ ଦୋହରାଇଛି ଯେ ଜନଗଣନା ଏକ ଆଇନଗତ ପ୍ରକ୍ରିୟା ଓ ଏହା ଜନଗଣନା ଆଇନ, ୧୯୪୮ ଦ୍ୱାରା ପରିଚାଳିତ। ଜନଗଣନାର ବିଷୟ ସପ୍ତମ ସୂଚୀର ଅନୁଚ୍ଛେଦ ୬୯ ଅନୁଯାୟୀ କେନ୍ଦ୍ର ତାଲିକାରେ ସାମିଲ | ଉକ୍ତ ଅନୁଚ୍ଛେଦ ଅଧୀନରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି କେନ୍ଦ୍ର ସରକାର ଜନଗଣନା ଆଇନ, ୧୯୪୮ ପ୍ରଣୟନ କରିଛନ୍ତି। ଜନଗଣନା ଆଇନ, ୧୯୪୭ର ଧାରା ୩ ଜନଗଣନା ପାଇଁ କେବଳ କେନ୍ଦ୍ର ସରକାରଙ୍କୁ କ୍ଷମତା ପ୍ରଦାନ କରିଛି ବୋଲି ନୂଆ ସତ୍ୟପାଠରେ କହିଛନ୍ତି ସରକାର ।

ରାଜ୍ୟରେ ବିବାଦୀୟ ଜାତିଗତ ଜନଗଣନା ନେଇ ବିହାର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି ପାଟନା ହାଇକୋର୍ଟ ଦେଇଥିବା ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ‌। ଏହା ଉପରେ ସରକାର ଉତ୍ତର ରଖିଛନ୍ତି।