ଜମ୍ମୁ କାଶ୍ମୀରରେ ଯେକୌଣସି ସମୟରେ ହୋଇପାରେ ନିର୍ବାଚନ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର | News Room Odisha

ଜମ୍ମୁ କାଶ୍ମୀରରେ ଯେକୌଣସି ସମୟରେ ହୋଇପାରେ ନିର୍ବାଚନ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ନିର୍ବାଚନ ଯେକୌଣସି ସମୟରେ ହୋଇପାରେ ଏବଂ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିର୍ବାଚନ ଆୟୋଗ ନେବେ ବୋଲି କେନ୍ଦ୍ର ସରକାର ଗୁରୁବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନୀ ଗଣତନ୍ତ୍ରର ପୁନରୁଦ୍ଧାର ଏବଂ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଉପରେ ଏକ ଚିଠା ଉପସ୍ଥାପନ କରି ସରକାର ଏହା କହିଛନ୍ତି।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଏକ ପାଞ୍ଚ ଜଣିଆ ଖଣ୍ଡପୀଠକୁ କହିଛନ୍ତି, ଜମ୍ମୁ କାଶ୍ମୀରରେ ନିର୍ବାଚନ ନିଷ୍ପତ୍ତି ଭାରତର ନିର୍ବାଚନ ଆୟୋଗ ଏବଂ ରାଜ୍ୟ ନିର୍ବାଚନ ଆୟୋଗ ନେବେ ।

ମେହେଟା ଖଣ୍ଡପୀଠକୁ କହିଛନ୍ତି, ଜାମ୍ମୁ କାଶ୍ମୀରରେ ନିର୍ବାଚନ ତିନି ସ୍ତରୀୟ ହେବ – ପ୍ରଥମେ ପଞ୍ଚାୟତ ନିର୍ବାଚନ, ଦ୍ୱିତୀୟ ପୌର ଏବଂ ପରେ ବିଧାନସଭା ନିର୍ବାଚନ।

ଅଗଷ୍ଟ ୨୯ରେ କେନ୍ଦ୍ର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଥିଲା ଯେ ଜମ୍ମୁ କାଶ୍ମୀରର କେନ୍ଦ୍ର ଶାସିତ ଅଞ୍ଚଳ ସ୍ଥାୟୀ ନୁହେଁ ।

ଧାରା ୩୭୦ ରଦ୍ଦ କରିବାକୁ କେନ୍ଦ୍ରର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି କରି ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ସରକାରଙ୍କୁ ଜମ୍ମୁକାଶ୍ମୀରରେ ନିର୍ବାଚନୀ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରିବାକୁ କହିଥିଲେ ।