ରାଜଦ୍ରୋହ ଆଇନ ପ୍ରସଙ୍ଗରେ କେନ୍ଦ୍ରର ୟୁଟର୍ଣ୍ଣ, ସମୀକ୍ଷା କରିବାକୁ ପ୍ରସ୍ତୁତ | News Room Odisha

ରାଜଦ୍ରୋହ ଆଇନ ପ୍ରସଙ୍ଗରେ କେନ୍ଦ୍ରର ୟୁଟର୍ଣ୍ଣ, ସମୀକ୍ଷା କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ରାଜଦ୍ରୋହ ଆଇନ ପ୍ରସଙ୍ଗରେ ସରକାରଙ୍କ ୟୁ-ଟର୍ଣ୍ଣ । ରାଜଦ୍ରୋହ ଆଇନର ସମୀକ୍ଷା କରାଯିବ ବୋଲି କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ଦୁଇ ଦିନ ତଳେ ସରକାର ଏହି ଉପନିବେଶ ଅମଳର ଆଇନକୁ ସମର୍ଥନ କରିଥିଲେ ଏବଂ ଏହାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଗୁଡିକୁ ଖାରଜ କରିବାକୁ ସୁପ୍ରିମକୋର୍ଟଙ୍କୁ କହିଥିଲେ।

ତେବେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏକ ସାନି ସତ୍ୟପାଠରେ କେନ୍ଦ୍ର କହିଛି ଯେ ସ୍ବାଧୀନତାର ଅମୃତ ମହୋତ୍ସବ (ସ୍ୱାଧୀନତାର ୭୫ ବର୍ଷ)ର ଭାବନା ଦୃଷ୍ଟିକୋଣରୁ ଭାରତ ସରକାର ଧାରା ୧୨୪-ଏ ଉପରେ ପୁନର୍ବିଚାର ଓ ଏହାର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଏବଂ ଅନ୍ୟମାନଙ୍କ ଦ୍ଵାରା ଦାଖଲ ହୋଇଥିବା ଆବେଦନ ଆଧାରରେ ଏହି ନିଷ୍ପତ୍ତି ନେବା ପୂର୍ବରୁ ସରକାର ସୁପ୍ରିମକୋର୍ଟଙ୍କୁ ଏହି ଆଇନର ବୈଧତାର ସମୀକ୍ଷା କରିବାକୁ ଅପେକ୍ଷା କରିବାକୁ ଅନୁରୋଧ କରିଛନ୍ତି।

ରାଜଦ୍ରୋହ ଆଇନର ବ୍ୟାପକ ଅପବ୍ୟବହାର ନେଇ ଉଦବେଗ ପ୍ରକାଶ କରି ଗତ ବର୍ଷ ଜୁଲାଇରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ । ମହାତ୍ମା ଗାନ୍ଧୀଙ୍କ ପରି ସ୍ବାଧୀନତା ସଂଗ୍ରାମୀଙ୍କୁ ମୁହଁ ବନ୍ଦ କରିବା ପାଇଁ ବ୍ରିଟିଶମାନେ ବ୍ୟବହାର କରୁଥିବା ଆଇନକୁ କାହିଁକି ରଦ୍ଦ କରାଯିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଥିଲେ ।