ଡିପଫେକ୍ ଭଳି ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀଙ୍କୁ ନିଯୁକ୍ତି ଦେବେ ସରକାର | News Room Odisha

ଡିପଫେକ୍ ଭଳି ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀଙ୍କୁ ନିଯୁକ୍ତି ଦେବେ ସରକାର

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଗୋଟିଏ ପରେ ଗୋଟିଏ ଡିପଫେକ୍ ଭିଡିଓର ପ୍ରସାରକୁ ନେଇ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏକ ୱେବସାଇଟ୍ ପ୍ରସ୍ତୁତ କରିବ । ଏଥିରେ ସୋସିଆଲ୍ ମିଡ଼ିଆ ୟୁଜରମାନେ ଆଇଟି ନିୟମ ଉଲ୍ଲଂଘନ ସମ୍ପର୍କରେ ଅଭିଯୋଗ ଦାଖଲ କରିପାରିବେ। ଆଇଟି ନିୟମର ଉଲ୍ଲଂଘନ ରିପୋର୍ଟ ଏବଂ ଏଫ୍ଆଇଆର୍ ଦାଖଲ କରିବାରେ ମନ୍ତ୍ରଣାଳୟ ଲୋକଙ୍କୁ ସହାୟତା କରିବ।

ଏହାଛଡ଼ା ଡିପଫେକ୍ ଭଳି ଭିଡ଼ିଓ/ଫଟୋ ଗୁଡ଼ିକ ଉପରେ ଯଥାର୍ଥ କାର୍ଯ୍ୟାନୁଷ୍ଠାନ ପାଇଁ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି। ଶୁକ୍ରବାର ସୋସିଆଲ ମିଡିଆ କମ୍ପାନୀ ଗୁଡ଼ିକର ପ୍ରତିନିଧି ମାନଙ୍କୁ ଭେଟିବା ପରେ ସେ ଏହା କହିଛନ୍ତି ।

ଡିପଫେକ୍ ଫଟୋ ବା ଭିଡ଼ିଓ ଭଳି ଆପତ୍ତିଜନକ ପୋଷ୍ଟ ସେୟାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯିବ । ଆଇଟି ନିୟମ ଅନୁସାରେ ନିଜ କମ୍ପାନୀର ପରିଚାଳନା କରିବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ୭ ଦିନ ସମୟ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି । ଆଜିଠାରୁ ଆଇଟି ନିୟମ ଉଲ୍ଲଂଘନ ପ୍ରତି ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଡିପଫେକ୍ ପାଇଁ ସରକାର ନୂଆ ନିୟମ ଆଣିବେ ବୋଲି ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗତକାଲି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଘୋଷଣା କରିଥିଲେ ।

ଡିପଫେକ୍ ସଫ୍ଟୱେର ସମ୍ପ୍ରତି ଚିନ୍ତାର କାରଣ ହୋଇଛି ।ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ‘ଡିପଫେକ୍’ ପରି ଟେକ୍ନୋଲୋଜିର ଅପବ୍ୟବହାର ନେଇ ଗଭୀର ଚିନ୍ତା ପ୍ରକଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କୃତ୍ରିମ ଇଣ୍ଟେଲିଜେନ୍ସ ଆଧାରିତ ଡିପଫେକ୍ ଦେଶ ପାଇଁ ଏକ ବଡ଼ ବିପଦ ବୋଲି କହିଥିଲେ। ଗଣମାଧ୍ୟମ ଏନେଇ ଲୋକଙ୍କୁ ସଚେତନ କରାଇବା ଉଚିତ୍ ବୋଲି କହିଥିଲେ ମୋଦୀ ।

ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କର ଏକ ଡିପଫେକ୍ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପରି ବୟାନ ଆସିଥିଲା। ରଶ୍ମିକାଙ୍କ ବ୍ୟତୀତ ‘ଟାଇଗର ୩’ର ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ କାଜୋଲଙ୍କ ଡିପଫେକ୍ ଫଟୋ ଓ ଭିଡ଼ିଓ ମଧ୍ୟ ଇଣ୍ଟରନେଟରେ ଦେଖିବାକୁ ମିଳିଥିଲା।

‘ଡିପଫେକ୍’ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ଜଣେ ବ୍ୟକ୍ତିଙ୍କ ଫଟୋ କିମ୍ବା ଭିଡିଓରେ ଅନ୍ୟଜଣେ ବ୍ୟକ୍ତିଙ୍କ ମୁଖ ଲଗାଇ ଦିଆଯାଏ । ଏଥିରେ ଏତେ ସମାନତା ଥାଏ ଯେ ଅସଲି ଓ ନକଲି ମଧ୍ୟରେ ଫରକ୍ ବାରିବା ବେଶ୍ କଷ୍ଟକର ହୋଇଥାଏ ।