ସରକାରୀ ବଙ୍ଗଳା ଆବଣ୍ଟନ ବିବାଦ: ତଳକୋର୍ଟ ରାୟ ବିରୋଧରେ ହାଇକୋର୍ଟ ଗଲେ ରାଘବ ଚଢ଼ା | News Room Odisha

ସରକାରୀ ବଙ୍ଗଳା ଆବଣ୍ଟନ ବିବାଦ: ତଳକୋର୍ଟ ରାୟ ବିରୋଧରେ ହାଇକୋର୍ଟ ଗଲେ ରାଘବ ଚଢ଼ା

ନୂଆଦିଲ୍ଲୀ: ସରକାରୀ ବଙ୍ଗଳା ମାମଲାରେ ତଳକୋର୍ଟ ରାୟ ବିରୋଧରେ ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ା ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ଚଢ଼ାଙ୍କ ଆବେଦନ ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସଞ୍ଜୀବ ନରୁଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ମୁଖରେ ଉପସ୍ଥାପନ କରାଯାଇଛି । ବୁଧବାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି ଏହି ପିଟିସନ ।

ଉଲ୍ଲେଖଯୋଗ୍ୟ, ରାଘବ ଚଢ଼ାଙ୍କୁ ଆବଣ୍ଟିତ ହୋଇଥିବା ଟାଇପ୍-୭ ସରକାରୀ ବଙ୍ଗଳା ଖାଲି କରିବାକୁ ରାଜ୍ୟସଭା ସଚିବାଳୟର ନୋଟିସ୍ ଉପରେ ପଟିଆଲା କୋର୍ଟ ଅକ୍ଟୋବର ୫ରେ ଅନ୍ତରୀଣ ରହିତାଦେଶ ହଟାଇ ଦେଇଥିଲେ । କୋର୍ଟ କହିଥିଲେ, ସରକାରୀ ବଙ୍ଗଳା ଆବଣ୍ଟନ‌ ରଦ୍ଦ ହେବା ପରେ ମଧ୍ୟ ରାଜ୍ୟସଭା ସଦସ୍ୟ ଭାବେ ଏଠାରେ ରହିବାକୁ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି ଚଢ଼ା ଦାବି କରିପାରିବେ ନାହିଁ।

ଟ୍ରାଏଲ କୋର୍ଟ କହିଥିଲେ, ଆଇନ ଅନୁଯାୟୀ ପ୍ରକ୍ରିୟା ବିନା ତାଙ୍କୁ ସରକାରୀ ବଙ୍ଗଳାରୁ ନ ହଟାଇବା ପାଇଁ ଚଢ଼ାଙ୍କୁ ଅନ୍ତରୀଣ ଆଶ୍ବସ୍ତି ପ୍ରଦାନ କରାଯାଇଥିଲା ।

ରାଜ୍ୟସଭା ସାଂସଦ ଭାବେ ରାଘବ ଚଢ଼ାଙ୍କୁ ୨୦୨୨ରେ ଦିଲ୍ଲୀର ପାଣ୍ଡାରା ରୋଡ୍ ସ୍ଥିତ ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଥିଲା। ଏହା ଏକ ପ୍ରକାର ଟାଇପ୍-୭ ବଙ୍ଗଳା ଥିଲା। ତେବେ ତାଙ୍କ ଅଧିକାର ଅପେକ୍ଷା ଏହା ଅପେକ୍ଷାକୃତ ହାଇ ପ୍ରୋଫାଇଲ୍ ହୋଇଥିବାରୁ ମାର୍ଚ୍ଚ ୨୦୨୩ରେ ଚଢ଼ାଙ୍କୁ ଏହି ବଙ୍ଗଳା ଆବଣ୍ଟନ ରଦ୍ଦ କରାଯାଇଥିଲା । ତାଙ୍କୁ ଅନ୍ୟ ଏକ ଟାଇପ୍-୬ ବଙ୍ଗଳା ଆବଣ୍ଟିତ ହୋଇଥିଲା ।

ରାଜ୍ୟସଭା ସଚିବାଳୟ ତରଫରୁ ରାଘବ ଚଢ଼ାଙ୍କୁ ଟାଇପ୍-୭ ବଙ୍ଗଳାରେ ରହିବା ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ସଚିବାଳୟ କୋର୍ଟଙ୍କୁ କହିଥିଲେ ଯେ ପ୍ରଥମ ଥର ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ଟାଇପ୍-୬ ବଙ୍ଗଳା ଆବଣ୍ଟିତ କରାଯାଏ ।

ଟାଇପ୍-୭ ବଙ୍ଗଳାରେ ରହିବାର ଅଧିକାର କେବଳ ସେହି ସାଂସଦମାନଙ୍କ ଅଛି ଯେଉଁମାନେ ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅବା ପୂର୍ବତନ ଲୋକସଭା ବାଚସ୍ପତି ଥିଲେ । ବିଜେପି ସାଂସଦ ରାଧା ମୋହନ ଦାସଙ୍କୁ ମଧ୍ୟ ଟାଇପ୍-୭ ବଙ୍ଗଳାରୁ ଟାଇପ୍-୫ ବଙ୍ଗଳାକୁ ପଠାଯାଇଥିଲା।