ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ | News Room Odisha

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ବିଧାୟକ ଦଳର ନେତା ଚମ୍ପାଇ ସୋରେନ ଶୁକ୍ରବାର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଚମ୍ପାଇ ସୋରେନଙ୍କ ବ୍ୟତୀତ ବରିଷ୍ଠ କଂଗ୍ରେସ ନେତା ଆଲାମଗିର ଆଲାମ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ସତ୍ୟନନ୍ଦ ଭୋକ୍ତା ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ ଭବନର ଦରବାର ହଲରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜେଏମ୍ଏମ୍ ନେତୃତ୍ୱାଧୀନ ସହଯୋଗୀ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ଆଦିବାସୀ ନେତା ୬୭ ବର୍ଷୀୟ ଚମ୍ପାଇ ସୋରେନ ହେଉଛନ୍ତି ଝାଡ଼ଖଣ୍ଡର ଦ୍ୱାଦଶ ମୁଖ୍ୟମନ୍ତ୍ରୀ । ଚମ୍ପାଇ ଝାଡ଼ଖଣ୍ଡର କୋଲହାନ ଅଞ୍ଚଳରୁ ଷଷ୍ଠ ନେତା ଭାବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କୋଲହାନ ଅଞ୍ଚଳରେ ପୂର୍ବ ସିଂହଭୂମ୍, ପଶ୍ଚିମ ସିଂହଭୂମ୍ ଏବଂ ଷଢେ଼ଇକଳା-ଖରସୁଆଁ ଜିଲ୍ଲା ରହିଛି |

ଚମ୍ପାଇ ସୋରେନଙ୍କୁ ଗୁରୁବାର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଥିଲେ। ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ବୁଧବାର ହେମନ୍ତ ସୋରେନଙ୍କ ଇସ୍ତଫା ଓ ଗିରଫ ପରେ ଚମ୍ପାଇ ସୋରେନ ଜେଏମ୍ଏମ୍ ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିଲେ ।

ରାଜ୍ୟ କଂଗ୍ରେସ ମୁଖ୍ୟ ରାଜେଶ ଠାକୁର କହିଛନ୍ତି, ଚମ୍ପାଇ ସୋରେନଙ୍କୁ ତାଙ୍କ ସରକାରର ବହୁମତ ସାବ୍ୟସ୍ତ କରିବାକୁ ୧୦ ଦିନ ସମୟ ଦିଆଯାଇଛି। କଂଗ୍ରେସ ରାଜ୍ୟରେ ଜେଏମଏମ ନେତୃତ୍ୱାଧୀନ ମେଣ୍ଟର ସହଯୋଗୀ ଦଳ।