ସରକାର ଗଠନ ପାଇଁ ଚମ୍ପାଇ ସୋରେନଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳଙ୍କ ଆମନ୍ତ୍ରଣ, ଆଜି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ | News Room Odisha

ସରକାର ଗଠନ ପାଇଁ ଚମ୍ପାଇ ସୋରେନଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳଙ୍କ ଆମନ୍ତ୍ରଣ, ଆଜି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ରାଞ୍ଚି: ଝାଡ଼ଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ବିଧାୟକ ଦଳର ନେତା ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ କରିଛନ୍ତି । ରାଜ୍ୟପାଳ ତାଙ୍କୁ ଶପଥ ଗ୍ରହଣ କରିବାକୁ ଆମନ୍ତ୍ରଣ କରିଛନ୍ତି। ହେମନ୍ତ ସୋରେନଙ୍କ ଇସ୍ତଫାର ପ୍ରାୟ ୨୪ ଘଣ୍ଟା ପରେ ଗୁରୁବାର ରାତିରେ ଚମ୍ପାଇ ସୋରେନଙ୍କୁ ଆମନ୍ତ୍ରଣ କରିଥିଲେ ରାଜ୍ୟପାଳ। ଚମ୍ପାଇ ସୋରେନ ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ଏହା ପୂର୍ବରୁ ଚମ୍ପାଇ ସୋରେନ ଜେଏମ୍ଏମ୍ ନେତୃତ୍ୱାଧୀନ ମେଣ୍ଟର ଏକ ପ୍ରତିନିଧୀ ଦଳ ସହ ଗୁରୁବାର ସନ୍ଧ୍ୟାରେ ରାଜ୍ୟପାଳ ରାଧାକ୍ରିଷ୍ଣନଙ୍କୁ ଭେଟିଥିଲେ । ହେମନ୍ତ ସୋରେନଙ୍କ ଗିରଫ ପରେ ରାଜ୍ୟରେ ସୃଷ୍ଟ ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ଦୃଷ୍ଟିରୁ ସରକାର ଗଠନ ପାଇଁ ତାଙ୍କ ଅନୁରୋଧ ଯଥାଶୀଘ୍ର ଗ୍ରହଣ କରିବାକୁ ଚମ୍ପାଇ ସୋରେନ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ ।

ସେ ରାଜ୍ୟପାଳଙ୍କୁ କହିଥିଲେ, ହେମନ୍ତ ସୋରେନଙ୍କ ଇସ୍ତଫାର ବହୁ ଘଣ୍ଟା ପରେ ମଧ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବିନା ରହିଛି । ଏଠାରେ ରାଜନୈତିକ ସଙ୍କଟ ଆହୁରି ଗଭୀର ହୋଇଛି।

ଚମ୍ପାଇ ସୋରେନଙ୍କୁ ନୂଆ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିବାରେ ବିଳମ୍ବ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିଲା। କଂଗ୍ରେସ କହିଥିଲା, ହେମନ୍ତ ସୋରେନ ଇସ୍ତଫା ଦେବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଶପଥ ଗ୍ରହଣ କରିନାହାଁନ୍ତି। ଏହି ବିଳମ୍ବର କାରଣ କ’ଣ? ଆପଣ (ରାଜ୍ୟପାଳ) ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି କି? ନା ଆପଣ ବିଧାୟକଙ୍କ ପଟ ପରିବର୍ତ୍ତନ ଓ ଘୋଡ଼ା ବେପାରକୁ ଅପେକ୍ଷା କରୁଛନ୍ତି ?

ରାଜ୍ୟରେ ରାଜନୈତିକ ସଙ୍କଟ ମଧ୍ୟରେ ବିଜେପି ଯେପରି ଶାସକ ଦଳର ବିଧାୟକଙ୍କୁ ନିଜ ଆଡ଼କୁ ନ ଟାଣିବ, ସେଥିପାଇଁ ନିଜର ସମସ୍ତ ବିଧାୟକଙ୍କୁ ଗୁରୁବାର ଏକ ଫ୍ଲାଇଟରେ ହାଇଦ୍ରାବାଦର ଏକ ଅଜ୍ଞାତ ସ୍ଥାନକୁ ନେବାକୁ ଜେଏମ୍ଏମ୍ ଯୋଜନା କରିଥିଲା। ହେଲେ କୁହୁଡ଼ି ଯୋଗୁଁ ଫ୍ଲାଇଟ୍ ବାତିଲ ହେବାରୁ ଜେଏମ୍ଏମ୍ ବିଧାୟକ ହାଇଦ୍ରାବାଦ ଯାଇପାରିନଥିଲେ ।

ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ପିଏମ୍ଏଲ୍ଏ (ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ) କୋର୍ଟ ଦିନକ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ହେମନ୍ତ ସୋରେନଙ୍କୁ ବୁଧବାର ରାତିରେ ଗିରଫ କରିଥିଲା ଇଡି ।