ଭିଡିଓକନ୍ ଋଣ ଜାଲିଆତି ମାମଲା: ଚନ୍ଦା କୋଚର ଓ ସ୍ୱାମୀଙ୍କୁ ମିଳିଲା ଜାମିନ, ଗିରଫକୁ ବେଆଇନ କହିଲେ ବମ୍ବେ ହାଇକୋର୍ଟ  | News Room Odisha

ଭିଡିଓକନ୍ ଋଣ ଜାଲିଆତି ମାମଲା: ଚନ୍ଦା କୋଚର ଓ ସ୍ୱାମୀଙ୍କୁ ମିଳିଲା ଜାମିନ, ଗିରଫକୁ ବେଆଇନ କହିଲେ ବମ୍ବେ ହାଇକୋର୍ଟ 

ମୁମ୍ବାଇ: ଭିଡିଓକନ୍ ଗ୍ରୁପ୍ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ଯେ କୋଚର ଦମ୍ପତିଙ୍କୁ ସିବିଆଇ ଆଇନ ଅନୁସାରେ ଗିରଫ କରିନଥିଲା ‌।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଉଭୟଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ମୁକ୍ତ କରାଯାଇଛି। ୠଣ ଜାଲିଆତି ଅଭିଯୋଗରେ କୋଚର ଦମ୍ପତିଙ୍କୁ ସିବିଆଇ ଗିରଫ କରିଥିଲା।

ଲଗାତାର ନଅ ବର୍ଷ ଧରି ଆଇସିଆଇସିଆଇ ବ୍ୟାଙ୍କର ସିଇଓ ରହିଥିବା ଚନ୍ଦା କୋଚରଙ୍କ ବିରୋଧରେ ଭିଡିଓକନ୍ ଗ୍ରୁପକୁ ଋଣ ମାମଲାରେ ଜାଲିଆତି ଅଭିଯୋଗ ଆସିଥିଲା ।

୨୦୦୮ ରୁ ୨୦୧୨ ମଧ୍ୟରେ ଭିଡିଓକନ୍ ଗ୍ରୁପ୍ ପ୍ରମୋଟର୍ ବେଣୁଗୋପାଳ ଧୂତଙ୍କୁ ୩,୨୪୦ କୋଟି ଟଙ୍କା ଋଣ ପ୍ରଦାନରେ ଚନ୍ଦା କୋଚର ନିଜ ପଦବୀର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଚନ୍ଦା କୋଚର, ତାଙ୍କ ସ୍ୱାମୀ ତଥା ଭିଡିଓକନ୍ ଗ୍ରୁପ୍‌ର ବେଣୁଗୋପାଳ ଧୂତଙ୍କ ବିରୋଧରେ ସିବିଆଇ ଏକ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରିଥିଲା। ବେଣୁଗୋପାଳ ଧୂତ ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ନେବା ପରେ ଚନ୍ଦା କୋଚରଙ୍କ ସ୍ବାମୀଙ୍କ ‘ନ୍ୟୁପାୱାର୍ ରିନ୍ୟୁବେଲ୍ସ୍’ ନାମକ କମ୍ପାନୀରେ ଶହ ଶହ କୋଟି ଟଙ୍କା ନିବେଶ କରିଥିଲେ ।

ଡିସେମ୍ବର ୨୩ ରେ ଚନ୍ଦା କୋଚର ଏବଂ ଦୀପକ କୋଚରଙ୍କୁ ସିବିଆଇ ଗିରଫ କରିଥିଲା। ଏହାର ତିନି ଦିନ ପରେ ସିବିଆଇ ଅନ୍ୟତମ ଅଭିଯୁକ୍ତ ଭିଡିଓକନ୍ ଗ୍ରୁପ୍ ଅଧ୍ୟକ୍ଷ ଭିଏନ୍ ଧୂତଙ୍କୁ ଗିରଫ କରିଥିଲା ।